ଜାତୀୟ

ସାଉଦି ବିମାନବନ୍ଦର ଉପରେ ଡ୍ରୋନ୍ ଓ ବାଲିଷ୍ଟିକ ମିସାଇଲ ମାଡ଼: ୩ ମୃତ, ୩୬ ଗୁରୁତର

ରିୟାଦ: ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ରିୟାଦସ୍ଥିତ ‘ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର’ ଏବଂ ‘ଆଭା ଆନ୍ତର୍ଜାତୀୟ ବିମାନବନ୍ଦର’କୁ ଲକ୍ଷ୍ୟ କରି ୟେମେନର ହୁତି ବିଦ୍ରୋହୀମାନେ ଡ୍ରୋନ୍ ଓ ବାଲିଷ୍ଟିକ ମିସାଇଲ ମାଡ଼ କରିଥିବା ନେଇ ଦାବି କରିଛନ୍ତି । ସାଉଦି ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ ଏହି ଆକ୍ରମଣ ଓ ଧନଜୀବନ କ୍ଷୟକ୍ଷତି ବିଷୟରେ ଅଧିକାରିକ ଭାବେ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଭା ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ଦୁଇଜଣ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି। ସେହିପରି ରିୟାଦ ବିମାନବନ୍ଦରରେ ଜଣେ ସୁଦାନୀୟ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ସାଉଦି, ଫିଲିପାଇନ୍ସ, ବାଂଲାଦେଶ ଓ ମିଶରର ନାଗରିକ ରହିଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି।

ହୁତି ସାମରିକ ପ୍ରବକ୍ତା ୟାହ୍ୟା ସାରି କହିଛନ୍ତି ଯେ, ବିମାନବନ୍ଦରଗୁଡ଼ିକର ସାମରିକ ଓ ଯାତାୟାତ ସେବାକୁ ଠପ୍ କରିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା* । ଏହି ଆକ୍ରମଣ ପରେ ରିୟାଦ ଓ ଆଖପାଖ ଅଞ୍ଚଳରେ ବିମାନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ, ସାଉଦି ନେତୃତ୍ବାଧୀନ ସେନା ମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ରିୟାଦ ଆଡ଼କୁ ଆସୁଥିବା ଏକ ବାଲିଷ୍ଟିକ ମିସାଇଲକୁ ଆକାଶମାର୍ଗରେ ନଷ୍ଟ କରାଯାଇଛି ଏବଂ ୟେମେନର ସାନାରେ ଥିବା ହୁତିଙ୍କ ମିସାଇଲ ଲଞ୍ଚପ୍ୟାଡକୁ ଧ୍ବଂସ କରିଦିଆଯାଇଛି। ସାଉଦି କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ବିମାନବନ୍ଦରର କ୍ଷତିଗ୍ରସ୍ତ ଅଂଶର ସମୀକ୍ଷା କରୁଛନ୍ତି।

ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଏହି ଉତ୍ତେଜନାକୁ ନେଇ ଆନ୍ତର୍ଜାତୀୟ ସମୁଦାୟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଜାତିସଂଘ ପକ୍ଷରୁ ବେସାମରିକ ପ୍ରତିଷ୍ଠାନ ଏବଂ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି ହେଉଥିବା ଏହିପରି ହିଂସାତ୍ମକ ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ଏହାସହ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ସମସ୍ତ ପକ୍ଷଙ୍କୁ ସଂଯମତା ଅବଲମ୍ବନ କରିବାକୁ ନିବେଦନ କରାଯାଇଛି। ସାଉଦି ସରକାର ନିଜ ସୀମା ଓ ନାଗରିକଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନେବେ ବୋଲି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL