ଓଡ଼ିଶା

ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା: ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୯ଟି ସ୍ଥାନରେ ଇଡି ରେଡ୍

ଭୁବନେଶ୍ବର: ଚର୍ଚ୍ଚିତ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୯ଟି ସ୍ଥାନରେ ଚଢ଼ାଉ । ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଆଧାରରେ ଇଡିର ଅଧିକାରୀମାନେ ଏକକାଳୀନ ରାଜ୍ୟର ୯ଟି ସ୍ଥାନରେ ଜୋରଦାର ଚଢ଼ାଉ ଜାରି ରଖିଛନ୍ତି । ରାଜଧାନୀ ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଇଡି ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଉଛି । ସ୍କାମ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବା ସନ୍ଦିଗ୍ଧ ବ୍ୟକ୍ତିବିଶେଷ, ଦଲାଲ ଓ ମଧ୍ୟସ୍ଥିଙ୍କ ବାସଭବନ ତଥା କାର୍ଯ୍ୟାଳୟରେ ଏହି ଯାଞ୍ଚ ଚାଲିଛି ।

ଏସଆଇ ନିଯୁକ୍ତି ପାଇଁ ଆଶାୟୀ ପରୀକ୍ଷାର୍ଥୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ହୋଇଥିଲା । ଏହି କଳାଧନର କାରବାର, ବ୍ୟାଙ୍କ ଜମା, ସମ୍ପତ୍ତି କ୍ରୟ-ବିକ୍ରୟ ଏବଂ ଟ୍ରାଞ୍ଜାକସନ ରେକର୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଇଡି PMLA ଅଧୀନରେ ଆର୍ଥିକ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି। ପୂର୍ବରୁ ରାଜ୍ୟ କ୍ରାଇମବ୍ରାଞ୍ଚ ଏବଂ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ଯେଉଁସବୁ ଠିକଣାରେ ଚଢ଼ାଉ କରିଥିଲେ, ସେହି ସ୍ଥାନଗୁଡ଼ିକ ଉପରେ ଏବେ ଇଡି ପୁନର୍ବାର ଯାଞ୍ଚ କରୁଛି । ସେଠାରୁ ଆର୍ଥିକ ନେଣଦେଣ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ ଡିଜିଟାଲ ତଥ୍ୟ ଜବତ କରିବାକୁ ପ୍ରୟାସ କରାଯାଉଛି ।

ଏହି କେଳେଙ୍କାରୀର ମୁଖ୍ୟ ସୂତ୍ରଧର ତଥା ସହଯୋଗୀମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତି, ବ୍ୟାଙ୍କ ଖାତା ଏବଂ ଦଲାଲ ମାଧ୍ୟମରେ ହୋଇଥିବା ପାଣ୍ଠି ସ୍ଥାନାନ୍ତରଣ ସମ୍ପର୍କରେ ଇଡି ଅଧିକାରୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା କରୁଛନ୍ତି । ​ଏହି ନିଯୁକ୍ତି ଦୁର୍ନୀତିରେ ଆର୍ଥିକ କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ କେଉଁ ବଡ଼ ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତି ରହିଛି, ତାହା ଉପରୁ ପରଦା ହଟାଇବା ପାଇଁ ଇଡି ପକ୍ଷରୁ ଛାନଭିନ୍ ଜାରି ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL