ଜାତୀୟ

ଭାରତୀୟ IT କର୍ମଚାରୀଙ୍କୁ ଝଟକା,  ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା

ଆମେରିକା: ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା । TCS, ଇନଫୋସିସ ସମେତ ୮ ବଡ଼ କମ୍ପାନୀ ପ୍ରଭାବିତ ହୋଇଛନ୍ତି ।  ଯାହାକୁ ନେଇ ଆମେରିକାରେ କାମ କରୁଥିବା ଭାରତୀୟ ଆଇଟି କର୍ମଚାରୀଙ୍କ ପାଇଁ  ଚିନ୍ତା ବଢ଼ିଲା । ଭିସା ଓ ଗ୍ରୀନ୍ କାର୍ଡ ନିୟମକୁ ନେଇ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ । ଭାରତର ପ୍ରମୁଖ ଆଇଟି କମ୍ପାନୀ ସମେତ ମୋଟ ୮ଟି ବଡ଼ କମ୍ପାନୀକୁ ଆମେରିକାର ଗ୍ରୀନ୍ କାର୍ଡ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରୁ ସାମୟିକ ଭାବେ ବାଦ୍ ଦିଆଯାଇଛି । ଏହି ତାଲିକାରେ ରହିଛନ୍ତି ଟାଟା କନସଲଟାନ୍ସି ସର୍ଭିସେସ୍ ବା TCS, ଇନଫୋସିସ୍, ୱିପ୍ରୋ, HCL ଟେକ୍ନୋଲୋଜିସ୍, କଗ୍ନିଜାଣ୍ଟ, କ୍ୟାପଜେମିନି, ମାଇକ୍ରୋସଫ୍ଟ ଓ ଆଡୋବି ।

ସୂଚନାନୁଯାୟୀ, କାଲି ଆମେରିକାର ଶ୍ରମ ସଚିବ କିଥ୍ ସଣ୍ଡରଲିଙ୍ଗ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଏହି ୮ଟି କମ୍ପାନୀ ପାଇଁ PERM ବା ପରମାନେଣ୍ଟ ଲେବର ସାର୍ଟିଫିକେସନ୍ କାର୍ଯ୍ୟକ୍ରମ ଅଧୀନରେ ଆଉ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । ପୂର୍ବରୁ ଦାଖଲ ହୋଇଥିବା ଓ ବିଚାରାଧୀନ ଆବେଦନଗୁଡ଼ିକର ପ୍ରକ୍ରିୟାକରଣ ମଧ୍ୟ ବନ୍ଦ ରହିବ।  ଆମେରିକୀୟ କର୍ମଚାରୀଙ୍କ ଚାକିରି ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଟ୍ରମ୍ପ ପ୍ରଶାସନ କହିଛି। କିଛି ବଡ଼ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କ ବଦଳରେ କମ୍ ଦରମାରେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ କରିଛି ପ୍ରଶାସନ ।  ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମାଇକ୍ରୋସଫ୍ଟର ନିଯୁକ୍ତି ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆମେରିକୀୟ କର୍ମଚାରୀଙ୍କ ଛଟେଇ ସତ୍ତ୍ୱେ କମ୍ପାନୀ ବହୁ ସଂଖ୍ୟାରେ ବିଦେଶୀ କର୍ମଚାରୀଙ୍କ ପାଇଁ ଭିସା ଓ ଗ୍ରୀନ୍ କାର୍ଡ ଆବେଦନ କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ମାଇକ୍ରୋସଫ୍ଟ ଏହି ଅଭିଯୋଗକୁ ନେଇ ନିଜର ନିଯୁକ୍ତି ଓ ଦରମା ବ୍ୟବସ୍ଥାକୁ ସମର୍ଥନ କରିଛି ।

ଅନ୍ୟପଟେ ଆମେରିକାର ଶ୍ରମ ସଚିବଙ୍କ ତଥ୍ୟ ଅନୁଯାୟୀ, ୨୦୦୯ ମସିହା ପରଠାରୁ ସମ୍ପୃକ୍ତ କମ୍ପାନୀଗୁଡ଼ିକ ପ୍ରାୟ ୩୦ ଲକ୍ଷ ବିଦେଶୀ କର୍ମଚାରୀଙ୍କ ପାଇଁ ଆବେଦନ କରିଛନ୍ତି । ସେମାନଙ୍କୁ ୨ ଲକ୍ଷ ୩୦ ହଜାରରୁ ଅଧିକ H-1B ଭିସା ଅନୁମୋଦନ ଏବଂ ୧ ଲକ୍ଷରୁ ଅଧିକ ସ୍ଥାୟୀ ଶ୍ରମ ପ୍ରମାଣପତ୍ର ମିଳିଛି ।  ଆମେରିକାରେ H-1B ଭିସାରେ କାମ କରୁଥିବା ଅନେକ ଭାରତୀୟ ପରବର୍ତ୍ତୀ ସମୟରେ ଗ୍ରୀନ୍ କାର୍ଡ ପାଇଁ ଆବେଦନ କରିଥାନ୍ତି । ଏଥିପାଇଁ PERM ପ୍ରକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ମାଧ୍ୟମରେ କମ୍ପାନୀ ବିଦେଶୀ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି ଦେବା ପାଇଁ ଶ୍ରମ ବିଭାଗର ଅନୁମୋଦନ ନେଇଥାଏ ।  ନୂଆ କଟକଣା ଯୋଗୁଁ ପ୍ରଭାବିତ କମ୍ପାନୀଗୁଡ଼ିକର କର୍ମଚାରୀଙ୍କ ଗ୍ରୀନ୍ କାର୍ଡ ପ୍ରକ୍ରିୟା ବିଳମ୍ବିତ ହୋଇପାରେ । ବିଶେଷକରି ଯେଉଁମାନେ ଏପର୍ଯ୍ୟନ୍ତ PERM ଆବେଦନ କରିନାହାନ୍ତି, ସେମାନଙ୍କ ପାଇଁ ସମସ୍ୟା ବଢ଼ିପାରେ। ତେବେ ଏହି ନିଷ୍ପତ୍ତିର ଅର୍ଥ ସମସ୍ତ H-1B ଭିସା ବାତିଲ୍ ହୋଇଯିବା ନୁହେଁ । ବର୍ତ୍ତମାନ H-1B ଭିସାରେ କାମ କରୁଥିବା କର୍ମଚାରୀଙ୍କ ଭିସା ଉପରେ ସିଧାସଳଖ କଟକଣା ଲାଗିନାହିଁ। ମୁଖ୍ୟତଃ ସ୍ଥାୟୀ ବସବାସ ପାଇଁ ଆବେଦନର ଏକ ପ୍ରକ୍ରିୟା ପ୍ରଭାବିତ ହୋଇଛି । ଏପଟେ ଭାରତୀୟ ଆଇଟି ଶିଳ୍ପ ସଂଘ ନାସକମ୍ କହିଛି, ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଆଇଟି କମ୍ପାନୀଗୁଡ଼ିକ H-1B ଭିସା ଉପରେ ନିର୍ଭରଶୀଳତା କମାଇଛନ୍ତି । ଆମେରିକାରେ ସ୍ଥାନୀୟ କର୍ମଚାରୀଙ୍କ ନିଯୁକ୍ତି ମଧ୍ୟ ବଢ଼ାଇଛନ୍ତି ।ଅନ୍ୟପଟେ ହାର୍ଭାର୍ଡ, ୟେଲ୍ ଓ ଷ୍ଟାନଫୋର୍ଡ ସମେତ ଆମେରିକାର ୯ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ବିଦେଶୀ ଏକ୍ସଚେଞ୍ଜ ଭିସା ବ୍ୟବହାରକୁ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ।

ଆମେରିକାର ଗ୍ରୀନ୍ କାର୍ଡ କ’ଣ ? କାହିଁକି ଲାଗିଲା ନୂଆ କଟକଣା? ଗ୍ରୀନ୍ କାର୍ଡ ହେଉଛି ଆମେରିକାରେ ସ୍ଥାୟୀ ଭାବେ ରହିବା ଓ ଚାକିରି କରିବା ପାଇଁ ଏକ ସରକାରୀ ଅନୁମତିପତ୍ର। ଉଦାହରଣ ସ୍ୱରୂପ, ଭାରତର ଜଣେ ଆଇଟି ଇଞ୍ଜିନିୟର ଆମେରିକାରେ ଚାକିରି କରୁଛନ୍ତି । ସେ ଯଦି ସେଠାରେ ସବୁଦିନ ପାଇଁ ରହିବାକୁ ଚାହାନ୍ତି, ତେବେ ଗ୍ରୀନ୍ କାର୍ଡ ପାଇଁ ଆବେଦନ କରିପାରିବେ। ଗ୍ରୀନ୍ କାର୍ଡ ମିଳିଲେ ସେ ଆମେରିକାରେ ସ୍ଥାୟୀ ଭାବେ ରହିପାରିବେ । ଚାକିରି ବଦଳାଇପାରିବେ। କିନ୍ତୁ ଗ୍ରୀନ୍ କାର୍ଡ ମିଳିବା ଅର୍ଥ ଆମେରିକାର ନାଗରିକତା ମିଳିବା ନୁହେଁ । ତେବେ H-1B ଭିସା ଓ ଗ୍ରୀନ୍ କାର୍ଡ ମଧ୍ୟରେ ପାର୍ଥକ୍ୟ କ’ଣ? H-1B ଭିସା ହେଉଛି ଆମେରିକାରେ ନିର୍ଦ୍ଦିଷ୍ଟ ସମୟ ପାଇଁ ଚାକିରି କରିବାର ଅନୁମତି । କିନ୍ତୁ ଗ୍ରୀନ୍ କାର୍ଡ ହେଉଛି ଆମେରିକାରେ ସ୍ଥାୟୀ ଭାବେ ରହିବା ଓ କାମ କରିବାର ଅନୁମତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL