ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ବ୍ୟବସ୍ଥାକୁ ନେଇ ବଡ଼ ଅପ୍ଡେଟ୍। ଘୁଞ୍ଚିବ UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ। ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ସମ୍ଭାବନା ରହିଛି। ବିଶେଷ କରି ପର୍ବପର୍ବାଣୀ ସମୟରେ ବ୍ୟବସାୟୀ ଏବଂ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇପାରେ।
ନୂତନ ନିୟମ ଅନୁଯାୟୀ ମଧ୍ୟ, କ୍ଷୁଦ୍ର ବ୍ୟବସାୟୀ ଏବଂ ବ୍ୟକ୍ତି-ବିଶେଷଙ୍କ ମଧ୍ୟରେ ହେଉଥିବା କାରବାର (person-to-person transactions) ପାଇଁ ‘ଶୂନ୍ୟ MDR’ ବ୍ୟବସ୍ଥା ବଳବତ୍ତର ରହିବ। RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏକ ନାମମାତ୍ର ଶୁଳ୍କ ଡିଜିଟାଲ କାରବାରର ପରିମାଣ ଉପରେ ବିଶେଷ ପ୍ରଭାବ ପକାଇବାର ସମ୍ଭାବନା ନାହିଁ।
୨,୦୦୦ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ପ୍ରସ୍ତାବିତ ୦.୪% ଦେୟ ଦୋକାନୀଙ୍କ ଉପରେ ଲାଗିବ । ଏହା ଖାଉଟି ଉପରେ ଲାଗୁ ହେବ ନାହିଁ। ଏଭଳି ସ୍ଥିତିରେ ଦୋକାନୀମାନେ ଖାଉଟିଙ୍କୁ ନଗଦ ପେମେଣ୍ଟ ପାଇଁ ବାଧ୍ୟ କରିପାରନ୍ତି । ନହେଲେ ଦେୟର ବୋଝ ସେମାନେ ହୁଏତ ଖାଉଟିଙ୍କ ଉପରେ ପକାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏହା ହେଲେ ଡିଜିଟାଲ ପେମେଣ୍ଟକୁ ନେଇ ଭାରତ ହାସଲ କରିଥିବା ସମସ୍ତ ସଫଳତା ବେକାର ହୋଇଯିବ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ।
ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀଙ୍କ ପ୍ରଦତ୍ତ ସୂଚନା ଅନୁସାରେ, ୨,୦୦୦ ଟଙ୍କାରୁ ଊଦ୍ଧ୍ୱ ର୍ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ୦.୪% ଦେୟ ଅକ୍ଟୋବର ୧୫ରେ ଲାଗୁ ହେବାର ଥିଲା । ନ୍ୟାସ୍ନାଲ ପେମେଣ୍ଟ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ(ଏନ୍ପିସିଆଇ) ପକ୍ଷରୁ ଏହା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ପ୍ରସ୍ତାବିତ ଫି’ର କାର୍ଯ୍ୟାନ୍ୱୟନକୁ ଆଉ କିଛି ମାସ ବିଳମ୍ବ କରାଯାଇପାରେ । ବିଳମ୍ବ ହେବା ଦ୍ୱାରା ପେମେଣ୍ଟ କମ୍ପାନିଗୁଡ଼ିକୁ ନିଜ ନିଜର ସିଷ୍ଟମ୍କୁ ଅପ୍ଗେଡ୍ କରିବା ପାଇଁ ଅଧିକ ସମୟ ମିଳିବ ଏବଂ ପାର୍ବଣ ଥିବାବେଳେ ଏହା ବ୍ୟବସାୟୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।






