ଉଦଳା: ଘର ଓଳିରେ ପଶି ଧାନ ଖାଉଥିଲା ହାତୀ । ହାତୀକୁ ଦେଖି ଘଉଡ଼ାଇବା ପାଇଁ ପାଟି କରିବାରୁ ହାତୀ କଲା ଆକ୍ରମଣ । ତଳେ ପଡିଯିବାରୁ ବ୍ୟକ୍ତିଙ୍କ ହାତ ଉପରେ ଚଢ଼ିଗଲା ହାତୀ । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏହାର ସତ୍ୟତା ଏବେ ଦେଖିବାକୁ ମିଳିଛି କପ୍ତିପଦା ବନାଞ୍ଚଳ ଗଣ୍ଡୀଦର ଗାଁ କୁସୁନପୁରରେ ।
ଗାଁର ନୀଳକଣ୍ଠ ପାଣିଆଳିଆ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାଡ଼ି ପାଖରେ ଶବ୍ଦ ଶୁଣିବାକୁ ପାଇଥିଲେ । ରାତିରେ ଘର ବାଡ଼ିକୁ ଯାଇ ଦେଖିବାରୁ ଏକ ବିଶାଳ ହାତୀ ଧାନ ଖାଉଥିଲା, ହାତୀ କବଳରୁ ଧାନକୁ ବଞ୍ଚାଇବା ପାଇଁ ଘଉଡ଼ାଇବାରୁ ହାତୀ ଓଲଟା ନୀଳକଣ୍ଠଙ୍କୁ ଆକ୍ରମଣ କରିଥିଲା । ନୀଳକଣ୍ଠକୁ ହାତୀ ଗୋଡ଼ାଇବାରୁ ସେ ତଳେ ପଡି ଯାଇଥିଲେ ଆଉ ହାତୀ ଟି ନୀଳକଣ୍ଠଙ୍କ ହାତ ଉପରେ ଚଢି ତାଙ୍କ ହାତକୁ ଦଳି ଦେଇଥିଲା । କିନ୍ତୁ ଅଳ୍ପକେ ହାତୀ ପାଦ ତଳୁ ଜୀବନ ରକ୍ଷା କରିପାରିଛନ୍ତି ନୀଳକଣ୍ଠ । ଏହା ପରେ ଗୁରୁତର ଅବସ୍ଥାରେ ନୀଳକଣ୍ଠଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଏବେ ସୁଦ୍ଧା ବନ ବିଭାଗ ନୀଳକଣ୍ଠଙ୍କ ନିକଟରେ ପହଞ୍ଚି ପାରିନାହିଁ ।
ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି ନୀଳକଣ୍ଠ । କଥାରେ ଅଛି ନା ଦଣ୍ଡେ ନିମିଷେ ଥିଲେ ପ୍ରାଣ ନେଇ ନ ପାରେ ଜନ୍ତୁରାଣ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଜିର ଏହି ଘଟଣା । ଜୀବନର ବା କଣ ଭରଷା । ଏଇ ଅଛି ତ କିଛି ସମୟ ଭିତରେ କଣ ହୋଇଯିବ କହିବା ମୁସ୍କିଲ୍ । ହେଲେ ଭଗବାନ ଯାହାକୁ ରଖିବେ ସେ ମରଣ ମୁହଁରୁ ବି ଫେରିକି ଆସିବ । ଏମିତି ଅନେକ ଉଦାହରଣ ଆମେ ଦେଖିଛେ । ତେବେ ଆଜି ପୁଣି ଏମିତି ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।








