ଭୁବନେଶ୍ଵର: ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି ଜେଲ୍ ଅନ୍ତେବାସୀ। ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। କଡ଼ାକଡ଼ି ହେଲା ଜେଲ୍ ନିୟମ। କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍ ଭିତରେ କରିପାରିବେନି ଗଣ୍ଡଗୋଳ। କଏଦୀଙ୍କୁ ଜଗିବ ଏଆଇ। ୧୮ଟି ଜେଲରେ ଖଞ୍ଜା ହେବ କ୍ୟାମେରା। ସନ୍ଦେହଜନକ ସ୍ଥିତିରେ ବାଜିବ ସାଇରନ୍। ଜେଲ୍ ଭିତର ହେଉକି ସେଲ୍ ଭିତର ସବୁଠି ଟିକନିକ୍ ନଜର ରଖିବ ଏଆଇ।
ପାଚେରି ଡେଇଁବା ମାତ୍ରେ ସଙ୍ଗେସଙ୍ଗେ କଏଦୀଙ୍କୁ ଚିହ୍ନଟ କରି ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ତଥ୍ୟ ପଠାଇଦେବ। ରାଜ୍ୟର ବିଭିନ୍ନ ଜେଲରୁ କଏଦୀ ଚମ୍ପଟ ଘଟଣା ଜେଲ୍ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦୁର୍ଦ୍ଦାନ୍ତ ଅପରାଧୀଙ୍କଠାରୁ ଆରମ୍ଭ କରି ଛୋଟ ଅପରାଧୀ ପାଚେରି ଡେଇଁ ଫେରାର ହୋଇଯାଉଛନ୍ତି। ନିକଟରେ କଟକ ଚୌଦ୍ଵାର ଜେଲରୁ ଫେରାର ହୋଇଯାଇଥିବା ଦୁଇ ବିହାରୀ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ ଧରିବା ତ ଦୂରର କଥା, ସେମାନଙ୍କର ଛାଇ ବି ଏଯାବତ ଦେଖିପାରିନି। ଫଳରେ ଏବେ ଜେଲ୍ ବିଭାଗର ଚେତା ପଶିଛି।







