ତାତୁଛି ଯାଜପୁର ରାଜନୀତି । ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିରେ । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଏବଂ ହାଟ ଉଚ୍ଛେଦ ପ୍ରସଙ୍ଗରେ ଦୁଇ ଦଳ ଭିତରେ ବୟାନବାଜି ଜୋର୍ ଧରିଛି । ସେପଟେ ଗିରଫ ହୋଇଥିବା ପ୍ରଣବ ପ୍ରକାଶ ଦାସଙ୍କ ସଂପର୍କୀୟ ଭାଇ ଭବପ୍ରସାଦ ଜାମିନ ପାଇଁ ଆବେଦନ କରିବାକୁ ମନା କରିବା ପରେ ଘଟଣା ଆହୁରି ସଂଗୀନ ହୋଇଯାଇଛି । ଭବ କହିଛନ୍ତି, ମିଥ୍ୟା ମାମଲାରେ ଛନ୍ଦି ତାଙ୍କ ସହ ସମର୍ଥକମାନଙ୍କୁ ଜେଲ୍ ପଠାଯାଇଛି । ତେଣୁ ସମର୍ଥକ ଓ ସହକର୍ମୀମାନେ ଜେଲରେ ଥିବାରୁ, ସେ ଜେଲରୁ ମୁକୁଳିବେ ନାହିଁ । ସେପଟେ ଆଶ୍ଚର୍ଯ୍ୟଜନକ ଭାବେ ଭବଙ୍କ ନାଁରେ ଟାଉନ ଥାନାରେ ଏତଲା ଦେଇଥିବା ବ୍ୟକ୍ତି ଅଭିଯୋଗକୁ ମିଥ୍ୟା କହି ଏତଲା ପ୍ରତ୍ୟାହାର କରି ନେଇଛନ୍ତି |
ମାଆ ବିରଜା ପରିକ୍ରମା ପ୍ରକଳ୍ପରେ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା ଓ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଯାଜପୁର ରାଜନୀତି ଉଷ୍ମ ହେବାରେ ଲାଗିଛି । ଏହି ଘଟଣାରେ ପୋଲିସ ୧୪ ଜଣଙ୍କ ଗିରଫ କରିଥିବା ବେଳେ ସେ ଭିତରେ ଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ସଂପର୍କୀୟ ଭାଇ ତଥା ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ । ଶନିବାର ଭବଙ୍କୁ ଗିରଫ କରି ପୋଲିସ ସ୍ଥାନୀୟ ଏସ୍ଡିଜେଏମ କୋର୍ଟରେ ହାଜର କରିଥିଲେ ମଧ୍ୟ ଜାମିନ ଆବେଦନ କରିବାକୁ ମନା କରିଥିଲେ ଭବ । ତାଙ୍କ ଓକିଲ କହିଛନ୍ତି ଯେ ମାଆ ବିରଜାଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମିଥ୍ୟା ମୋକଦ୍ଦମାରେ ଭବଙ୍କୁ ଛନ୍ଦି ଦିଆଯାଇଛି । ତାଙ୍କ ସହକର୍ମୀମାନଙ୍କୁ ଜେଲ୍ ପଠାଯାଇଥିବାରୁ ଭବ ନିଜେ ଜେଲ୍ରୁ ମୁକୁଳିବାକୁ ଚାହୁଁ ନ ଥିବା କହିଛନ୍ତି ।
ସେପଟେ ବିଧାୟକଙ୍କୁ ଭବପ୍ରସାଦ ଆକ୍ରମଣ କରିଥିବା ନେଇ ଥାନାରେ ଯେଉଁ ଏତଲା ଦେଇଥିଲେ ମଦନ ମୋହନ ନାୟକ, ଶନିବାର ଅପ୍ରତ୍ୟାଶିତ ଭାବେ ସେ ଏତଲାକୁ ପ୍ରତ୍ୟାହାର କରି ନେଇଛନ୍ତି । କାନ୍ଦି କାନ୍ଦି ସେ କହିଛନ୍ତି ଯେ ତାଙ୍କ ଇଚ୍ଛା ବିରୋଧରେ କିଛି ଲୋକ ଏହି ଏତଲା ଲେଖାଇ ସେଥିରେ ତାଙ୍କର ଦସ୍ତଖତ ନେଇଯାଇଥିଲେ । ଭବଙ୍କ ନାଁରେ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ଅଭିଯୋଗକାରୀ କହିଛନ୍ତି ।