ପୁରୀ

ପ୍ରଥମ ଥର ପାଇଁ ରଣକୌଶଳ ଦେଖିବେ ଓଡ଼ିଶାବାସୀ: ଆଜିଠୁ ନୌସେନାର ଯୁଦ୍ଧାଭ୍ୟାସ

ପୁରୀ: ଡିସେମ୍ବର ୪ରେ ନୌସେନା ଦିବସ। ପ୍ରତିବର୍ଷ ମୁମ୍ବାଇ, ବିଶାଖାପାଟଣା ଭଳି ବଡ଼ ବଡ଼ ସହରରେ ଏହି ଦିବସ ପାଳନ କରି ଆସୁଥିବା ନୌବାହିନୀ ଚଳିତଥର ପ୍ରଥମ ଥର ପାଇଁ ଓଡ଼ିଶାର ପୁରୀ ଉପକୂଳରେ ଏହି ଦିବସ ପାଳନ କରିବାକୁ ଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ଏହାକୁ ଭବ୍ୟ ଆକାରରେ ଆୟୋଜନ କରିବାକୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ନୌବାହିନୀ। ସ୍ଥଳ ଓ ଆକାଶ ବାହିନୀର ମିଳିତ ସହଯୋଗରେ ପ୍ରସ୍ତୁତି କାର୍ଯ୍ୟକୁ ଜୋରଦାର କରିଛି। ନୌସେନା ଦିବସରେ ସମୁଦ୍ରର ଗଭୀର ଜଳରାଶି ଭିତରେ ଘମାଘୋଟ ଲଢ଼େଇ ଦୃଶ୍ୟର ଅବତାରଣା କରିବ ନୌବାହିନୀ। ଏଥିପାଇଁ ଆସନ୍ତାକାଲି (ଗୁରୁବାର)ଠାରୁ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧାଭ୍ୟାସ (ରିହର୍ସାଲ୍‌)।

ଏହା ପୂର୍ବରୁ ଆଜି ପୁରୀ ବେଳାଭୂମିରେ ୪ଟି ଯୁଦ୍ଧ ଟ୍ୟାଙ୍କ (ଆର୍ମୋର୍‌ଡ ଫାଇଟିଂ ଭେହିକିଲ୍‌) ପହଞ୍ଚିଛି। ଏହା ଉଭୟ ଜଳ, ସ୍ଥଳରେ ଯାଇପାରିବ। ଆସନ୍ତାକାଲି ମଧ୍ୟ ଆଉ କିଛି ଟ୍ୟାଙ୍କ ପହଞ୍ଚିବ ବୋଲି ଜଣାପଡ଼ିଛି। ସେହିଭଳି ୭ଟି ଯୁଦ୍ଧ ଜାହାଜ ଆସି ପୁରୀ ଉପକୂଳରେ ଲାଗିଛି। ଯେଉଁଥିରେ ଶତ୍ରୁ ସଂହାର ପାଇଁ ଅତ୍ୟାଧୁନିକ ଗୁଳିଗୋଳା କ୍ଷେପଣ ଆଦିର ବ୍ୟବସ୍ଥା ରହିଛି। ସମୁଦ୍ର ଭିତରେ ଏସବୁ ଯୁଦ୍ଧ ପୋତ ପଇଁତରା ମାରୁଛନ୍ତି। ଯୁଦ୍ଧ ବେଳେ ଯୁଦ୍ଧାସ୍ତ୍ର, ତେଲ ଆଦି ନେବା ଆଣିବା ସହ ଅଘଟଣ ରୋକିବା ପାଇଁ ଫ୍ଲୋଟିଂ ବୋଟ୍‌ ବି ଆସି ପହଞ୍ଚି ସାରିଛି। ଏହାଛଡ଼ା ୪ଟି ଲଢ଼ୁଆ ହେଲିକପ୍ଟର ଆଜି ପୁରୀ ସମୁଦ୍ର ଉପରେ ଚକ୍କର କାଟିଛନ୍ତି। ଅତିଥି ଓ ଲୋକମାନେ ଅତି ନିକଟରୁ ଏହାକୁ ଦେଖିବା ପାଇଁ ବଡ଼ ବଡ଼ ଏଲ୍‌ଇଡି ସ୍କ୍ରିନ୍‌ ଲଗାଯାଇଛି। ନୌବାହିନୀର ବରିଷ୍ଠ ଅଧିକାରୀମାନେ ଆଜିଠାରୁ ପୁରୀରେ ଡେରା ପକାଇଛନ୍ତି। ନୌସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଗୁରୁବାର ଅପରାହ୍ଣ ପ୍ରାୟ ୩ଟାରୁ ଯୁଦ୍ଧାଭ୍ୟାସ ଆରମ୍ଭ ହେବ। ଏଣୁ ଗୁରୁବାର ସକାଳ ସୁଦ୍ଧା ଆହୁରି ଯୁଦ୍ଧ ଜାହାଜ ଆସି ପହଞ୍ଚିବ। ସେହି ଅନୁସାରେ ଲଢ଼ୁଆ ଯୁଦ୍ଧବିମାନ (ଫାଇଟର୍‌ ଏୟାରକ୍ରାଫ୍ଟ) ବି ଆସିବ। ବର୍ତ୍ତମାନ ସୁଦ୍ଧା ୧୮ଟି ଯୁଦ୍ଧପୋତ ଓ ୩୮ଟି ଯୁଦ୍ଧ ବିମାନ ଆସିବ ବୋଲି ଜଣାପଡ଼ିଛି। ଆବଶ୍ୟକସ୍ଥଳେ ଏହା ବଢ଼ିପାରେ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ଏହି ଯୁଦ୍ଧ ଜାହାଜ, ଟ୍ୟାଙ୍କ ଓ ଏୟାରକ୍ରାଫ୍ଟ ଯୁଦ୍ଧ ବେଳର ଫାୟାରିଂ, ଗୁଳିଗୋଳା, ବୋମାବର୍ଷଣ ଦେଖାଇବ। ଏଥିସହିତ ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସରଞ୍ଜାମର ପ୍ରଦର୍ଶନୀ ହେବ।

ପୁରୀ ବେଳାଭୂମିରେ ପହଞ୍ଚିଲା ଟ୍ୟାଙ୍କ୍‌, ଜାହାଜ 
ଆକାଶରେ ଚକ୍କର କାଟିଲା ଲଢ଼ୁଆ ହେଲିକପ୍ଟର
ଦୁର୍ଦ୍ଧର୍ଷ କମାଣ୍ଡୋ ବାହିନୀ ‘ମାର୍କୋସ୍‌’ ମୁଖ୍ୟ ଆକର୍ଷଣ

ଡିସେମ୍ବର ୪ ନୌସେନା ଦିବସ ବ୍ଲୁ-ଫ୍ଲାଗ ବିଚ୍‌ରେ ପାଳିତ ହେବ। ଏଥିପାଇଁ ୨ ତାରିଖରୁ ଡେମୋନ୍‌ଷ୍ଟ୍ରେସନ୍‌ ଆରମ୍ଭ ହେବ। ୨ ଓ ୩ ତାରିଖରେ ଲୋକେ ଏହାକୁ ଉପଭୋଗ କରିପାରିବେ। ୪ ତାରିଖରେ ଫାଇନାଲ୍‌ ସୋ ହେବ। ରାଷ୍ଟ୍ରପତି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ରାଜଭବନ ସମ୍ମୁଖରେ ତାଙ୍କ ପାଇଁ ସ୍ବତନ୍ତ୍ର ମଞ୍ଚ ପ୍ରସ୍ତୁତ କରାଯାଇଛି। ରାଜଭବନ ପଛ ପାର୍ଶ୍ବରୁ ବ୍ଲୁ ଫ୍ଲାଗ୍‌ ବିଚ୍‌କୁ ସଂଯୋଗ କରୁଥିବା ରାସ୍ତାରେ ରାଷ୍ଟ୍ରପତି ଯିବେ ଓ ନୌସେନା ଦିବସରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ମଞ୍ଚ ଆଗରେ ନୌସେନାର ସ୍ବତନ୍ତ୍ର କମାଣ୍ଡୋ ବାହିନୀ ‘ମାର୍କୋସ୍‌’ ୟୁନିଟ୍‌ର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପରେଡ୍‌ ପ୍ରଦର୍ଶନ କରିବେ। ଆଜି ଏହାର ରିହର୍ସାଲ୍‌ କରାଯାଇଛି। ବ୍ଲୁ-ଫ୍ଲାଗ ବିଚ୍‌ରେ ଅତିଥିମାନେ ବସିବା ପାଇଁ ୫ ହଜାରରୁ ଅଧିକ ଚୌକି ପଡ଼ିଛି।

Tag:

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL