ଦୂର ହେଉନି ହୀରାକୁଦ ବିସ୍ଥାପିତ ଙ୍କ ରାସ୍ତା ସମସ୍ୟା :
ଅଧାପନ୍ତରିଆ ରେ ପଡିଛି ଝାରମୁଣ୍ଡା-ରେଙ୍ଗାଲି ରାସ୍ତା : ଜିଲ୍ଲାପ୍ରଶାସନ ର ଦ୍ବାରସ୍ତ ହେଲେ ଗ୍ରାମବାସୀ
ରେଙ୍ଗାଲି,ଡ଼ିସେମ୍ବର 14
(ଡ଼ଃ ନିବେଦିତା ନାଥ)
ହୀରାକୁଦ ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ହୋଇ ପୁନର୍ବସତି ସ୍ଥାପନ କରି ରହୁ ଥିବା ରେଙ୍ଗାଲିବ୍ଲକ ର ଝାରମୁଣ୍ଡା, ବାବୁଚକୁଲି,ବାଉଁସେନ,ଥୁଣ୍ଟିକତରବଗା ଗ୍ରାମ ରୁ ରେଙ୍ଗାଲି କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ର ୫ଶହ ମିଟର ଜମି ଅଧିଗ୍ରହଣ ହେଉ ନଥିବାରୁ ରାସ୍ତା ଅଧାପନ୍ତରିଆ ରେ ଦୀର୍ଘ ଦଶନ୍ଧି ହେଲା ପଡି ରହିଛି। ଗମନାଗମନ ପାଇଁ ଅଞ୍ଚଳବାସୀ ଏଥିପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ନଦୀବନ୍ଧ ଯୋଜନା କାର୍ଯ୍ଯକ୍ଷମ ହେବାର ୭ଦଶନ୍ଧି ବିତିଗଲା। ଅଞ୍ଚଳବାସୀ ଅସଂଖ୍ଯ ଥର ଜିଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଓ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ଯ ଏ ସମସ୍ୟା ର ସମାଧାନ ହେଉନାହିଁ। ଏହି ଅସମାହିତ ମୌଳିକ ସମସ୍ୟାର ସମାଧାନ ପାଇଁ ଜମି ଅଧିଗ୍ରହଣ କରାଯିବା ସକାଶେ ଜନସାଧାରଣ ପୁଣି ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ଙ୍କ ଦ୍ବାରସ୍ତ ହୋଇଛନ୍ତି । ରାସ୍ତାଦେଇ ଉପରୋକ୍ତ ଗ୍ରାମ ଗୁଡିକ ର ଅସଂଖ୍ଯ ଛାତ୍ର ଛାତ୍ରୀ, କର୍ମଚାରୀ ଓ ଜନସାଧାରଣ ସ୍କୁଲ କଲେଜ, ବ୍ଲକ,ତହସିଲ, ଜିଲ୍ଲା ସଦର ମହକୁମା ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ କୁ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ତେବେ ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ପାଖରୁ ଉପରୋକ୍ତ ଅଞ୍ଚଳ କୁ ସଂଯୋଗ କରୁଥିବା ଏହି ପୂର୍ତ୍ତ ବିଭାଗ ରାସ୍ତା ୪ ଟି ସ୍ଥାନ ରେ ପ୍ରାୟ ୫ଶହ ମିଟର ରୟତି ଜମି ରହିଛି। ବାରମ୍ବାର ଦାବୀ ସତ୍ତ୍ବେ ରୟତି ଜମି ଅଧିଗ୍ରହଣ କରାଯାଇ ନଥିବାରୁ ଦୋହରୀକରଣ କାମ ଅସମ୍ପୂର୍ଣ୍ଣ ହୋଇ ପଡିଛି। ରାସ୍ତାର ବାକି ଅଂଶ ର ଦୋହରୀକରଣ କାମ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ୫ଶହ ମିଟର ରୟତି ଜମି ଖାଳଖମା ରେ ପରିପୂର୍ଣ୍ଣ ହୋଇ ପଡିଛି।ଜନସାଧାରଣ ଙ୍କ ଗମନାଗମନ ଦୁର୍ବିସହ ହୋଇ ପଡୁଛି। ଆମ୍ବୁଲାନ୍ସ ଆଦି ଚାରିଚକିଆ ଯାନ ଯାତାୟତ ହେଉ ନାହିଁ। ଏପରିକି ଦୁଇଟି ବାଇକ୍ ଏକା ସାଙ୍ଗରେ ଯାତାୟତ ମୁସ୍କିଲ୍ ହେଉଛି। ରାସ୍ତାର ଏଭଲି ଦୟନୀୟ ଅବସ୍ଥା ଯୋଗୁଁ ଉପରୋକ୍ତ ୪ଟି ଗ୍ରାମ ର ଅଧିବାସୀ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ହୀରାକୁଦ ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ପରିବାର ବର୍ଗ ଙ୍କୁ ସମସ୍ତ ମୌଳିକ ସୁବିଧାସୁଯୋଗ ଦିଆଯିବ ବୋଲି ତତ୍କାଳୀନ ସରକାର ଘୋଷଣା କରିଥିଲେ। ତେବେ ବିଡମ୍ବନାର ବିଷୟଯେ ନଦୀବନ୍ଧ ଯୋଜନା ର ସାତ ଦଶନ୍ଧି ପରେ ବି ରେଙ୍ଗାଲିବ୍ଲକ ର ଝାରମୁଣ୍ଡା,ବାବୁଚକୁଲି,ଥୁଣ୍ଟିକତରବଗା,ବାଉଁସେନ ଭଲି ପୁନର୍ବସତି ସ୍ଥାପନ କରିରହୁଥିବା ବିସ୍ଥାପିତ ଗାଁ କୁ ରାସ୍ତା ପାଇଁ ଜମି ବାଧକ ସାଜିଛି। ସରକାର ଓ ପ୍ରଶାସନ ଏଦିଗରେ ଗୁରୁତ୍ବ ର ସହିତ ଦୃଷ୍ଟି ଦେଇ ରାସ୍ତା ପାଇଁ ବାଧକ ସାଜିଥିବା ୫ ଶହ ମିଟର ରୟତି ଜମି ଅଧିଗ୍ରହଣ କରି ଅଧାପନ୍ତରିଆ ରେ ପଡିଥିବା ରାସ୍ତା କାମ ଯୁଦ୍ଧ କାଳୀନ ଭିତ୍ତି ରେ ସମ୍ପୂର୍ଣ୍ଣ କରିବାକୁ ଦାବୀ ହେଉଛି।
ବିଭାଗୀୟ ଅଧିକାରୀଙ୍କ ମତ ଓ ମନ୍ତବ୍ଯ –
ରାସ୍ତା ପାଇଁ ରୟତି ଜମି ଅଧିଗ୍ରହଣ ସମସ୍ୟା ସଂକ୍ରାନ୍ତ ରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସୁମନ୍ତ କୁମାର ପରେଖ ଙ୍କୁ ପଚରା ଯିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ସାଧାରଣ ବର୍ଗ ଙ୍କ ପଟ୍ଟା ଓ ଦଖଲ ରେ ଥିବା ଜମି ଅଧିଗ୍ରହଣ କରାଯାଇ ତାଙ୍କୁ କ୍ଷତିପୂରଣ ଦିଆଯାଇ ସାରିଛି। ଆଉ କିଛି ଜମି ର ପଟ୍ଟା ଆଦିବାସୀ ବର୍ଗ ଙ୍କ ନାମ ରେ ରହିଛି । ଜମି ଅଧିଗ୍ରହଣ ପାଇଁ ସଂପୃକ୍ତ ଜମି ମାଲିକ ଙ୍କୁ ନୋଟିସ୍ ଜାରି କରାଯାଇଛି। ଜମି ଅଧିଗ୍ରହଣ ପରେ ବାକି ପଡିଥିବା ରାସ୍ତା କାମ ସମ୍ପୂର୍ଣ୍ଣ କରାଯିବା ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ପରେଖ କହିଛନ୍ତି।