ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପରେ ତାଙ୍କ ପରିବାର ପ୍ରତି ବିପଦ ଆଶଙ୍କା କରି ପୋଲିସ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। କିନ୍ତୁ ଏହି ପୋଲିସ ସୁରକ୍ଷା ହଟାଇଦେବାକୁ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା ବୈଦ୍ୟନାଥପୁର ଥାନାରେ ଲିଖିତ ଜଣାଇଛନ୍ତି। ପରିବାରକୁ ପୋଲିସ ସୁରକ୍ଷା ଦେଇଥିବାରୁ ସେ ଧନ୍ୟବାଦ ଜଣାଇବା ସହ ବର୍ତ୍ତମାନ ଆଉ ଭୟଭୀତ ନୁହଁନ୍ତି ବୋଲି ସେ ଲିଖିତ ଆକାରରେ ଜଣାଇଛନ୍ତି।
ତେଣୁ ସେମାନଙ୍କୁ ଦିଆଯାଇଥିବା ପୋଲିସ ସୁରକ୍ଷା ଫେରାଇନେବାକୁ ସେ ଅନୁରୋଧ କରିଛନ୍ତି। ସେ ଓ ପରିବାରର ସବୁ ସଦସ୍ୟ ଆଇଆଇସିଙ୍କ ସଂପର୍କରେ ରହିବେ। ସୂଚନା ଅନୁସାରେ ପୀତବାସଙ୍କ ହତ୍ୟା ପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପାଟ୍ରୋଲିଂ ଗାଡ଼ି ପୀତବାସଙ୍କ ଘର ବୈକୁଣ୍ଠନଗରକୁ ଯିବା ସହ ସେଠାରେ ଦୁଇଜଣ ପୋଲିସ କର୍ମଚାରୀ ଜଗି ରହୁଥିଲେ। କିନ୍ତୁ ପୀତବାସଙ୍କ ପରିବାର ଲୋକ ସେଠାରୁ ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ଥାନାରେ ଅନୁରୋଧ କରିଛନ୍ତି।







