ଓଡ଼ିଶା

ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇ ଦେବେ। ଭୁବନେଶ୍ବରରେ ପ୍ରାଥମିକ ଭାବେ ୯୦ଟି ଘର ନିର୍ମାଣ ହୋଇଛି। ଏହି ଘରଗୁଡ଼ିକୁ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ କିଣିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରାୟ ୧୪ରୁ ୫୦ଲକ୍ଷ ଟଙ୍କା ଭିତରେ ଘର ବିକ୍ରି କରାଯିବ। ଏହି ଲକ୍ଷ୍ୟ ପୂରଣ ହେଲେ ଆଗାମୀ ଦିନରେ ରାଜ୍ୟର ସବୁ ସହରାଞ୍ଚଳରେ ସରକାର ଘର ତିଆରି କରି ଯୋଗାଇବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

ମନ୍ତ୍ରୀ ଶ୍ରୀ ମହାପାତ୍ର କହିଲେ, ସହରାଞ୍ଚଳରେ ବସ୍ତି ଗଢ଼ି ଉଠୁଛି। ଲୋକେ ଘର ନପାଇବାରୁ ବସ୍ତି ଅଞ୍ଚଳରେ ରହୁଛନ୍ତି। ବସ୍ତି ଅଞ୍ଚଳ ବିଲୋପ କରିବାକୁ ହେଲେ ସରକାରଙ୍କୁ ଘର ତିଆରି କରି ବସ୍ତିରେ ରହୁଥିବା ଲୋକଙ୍କୁ ଶସ୍ତାରେ ଯୋଗାଇ ଦେବାକୁ ହେବ। ଲୋକଙ୍କ ପାଖରେ ୧୪ରୁ ୫୦ଲକ୍ଷ ଟଙ୍କା ମଧ୍ୟରେ ଘର କିଣିବାର କ୍ଷମତା ରହିଛି। ପ୍ରାରମ୍ଭିକ ଭାବେ ୯୦ଟି ଘର ନିର୍ମାଣ କରାଯାଇଛି। ଏହି ଘର ବିକ୍ରି ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ।

ପରବର୍ତ୍ତୀ ସମୟରେ ଲୋକଙ୍କ ପାଖରୁ ଦରଖାସ୍ତ ଆହ୍ବାନ କରାଯିବ। କେତେ ବସ୍ତିବାସିନ୍ଦା ଆବେଦନ କରୁଛନ୍ତି ତାକୁ ଅନୁଧ୍ୟାନ କରାଯିବ। ମନ୍ତ୍ରୀ କହିଛନ୍ତି, ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତିବାସିନ୍ଦାଙ୍କୁ ସରକାରୀ ଘର ମିଳିବ। ଯେଉଁମାନେ ଘର ଛାଡ଼ୁ ନାହାନ୍ତି ସେମାନଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଛନ୍ତି। ତାହାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି। ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ବିଭ୍ରାନ୍ତ କରୁଛନ୍ତି। ନନ୍ଦନକାନନରୁ ଜୟଦେବ ବିହାରକୁ ଯୋଡ଼ିବାକୁ ଏକାମ୍ର କାନନରୁ ସମାନ୍ତରାଳ ବାମପାର୍ଶ୍ବର ରାସ୍ତା କାମ ଅଧାରେ ଅଟକି ରହିଛି। ୨୦୦ ଫୁଟିଆ ରାସ୍ତାକାମରେ ବସ୍ତିବାସିନ୍ଦାଙ୍କ ଘର ବାଧକ ସାଜିଥିଲା। ବସ୍ତିବାସିନ୍ଦା ସରକାରୀ ଘର ପାଇବା ପରେ ବି ଘର ଛାଡୁ ନଥିଲେ। ବିଡିଏ, ବିଏମ୍‌ସିର ଯୁଗ୍ମ ଏନ୍‌ଫୋର୍ସମେଣ୍ଟ‌ ଦଳ ପହଞ୍ଚି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଥିଲା। ଉଚ୍ଛେଦ ବେଳେ ଲୋକେ ପ୍ରତିବାଦ କରିଥିଲେ। ଏପରିକି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଓ ପ୍ରଶାସନିକ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିବା ସହ ଜବରଦଖଲ ଉଚ୍ଛେଦ କରିଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL