ରାଜସ୍ଥାନ: କୋଟା କଲେକ୍ଟରେଟ ଏବଂ ଜୟପୁର ହାଇକୋର୍ଟକୁ ବୋମା ଧମକ । ଆଜି ସକାଳେ କୋଟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବୋମା ଧମକ ଇମେଲ ମିଳିଥିଲା । ଯାହାପରେ ସଂପୂର୍ଣ୍ଣ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇବା ମାତ୍ରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଖାଲି କରି ସୁରକ୍ଷା ବଳବତ୍ତର କରିଥିଲେ ।
ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଫିସିଆଲ୍ ମେଲ୍ ଆଇଡିରେ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଇ-ମେଲରେ କେରଳର ବାସିନ୍ଦା ଏହି ଧମକ ଦେଇଛନ୍ତି । ଜିଲ୍ଲାପାଳ ପୀୟୁଷ ସାମରିଆ କହିଛନ୍ତି ଯେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ଏହାର କିଛି ସମୟ ପରେ କୋଟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜୟପୁର ହାଇକୋର୍ଟକୁ ଉଡ଼ାଇ ଦିଆଯିବ ବୋଲି ଧମକ ମିଳିଥିଲା ।
ଧମକ ପାଇବା ପରେ ହାଇକୋର୍ଟ ମଧ୍ୟ ଖାଲି କରାଯାଇଥିଲା । ୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହାଇକୋର୍ଟଙ୍କୁ ବୋମା ଧମକ ମିଳିଛି । ସୁରକ୍ଷା ଏଜେନ୍ସିମାନେ କୋର୍ଟ ପରିସରରେ ସର୍ଚ୍ଚ ଅପରେସନ କରୁଛନ୍ତି । ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ସ୍ୱତନ୍ତ୍ର ଟିମ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତ୍ୟେକ ଅଂଶର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି । ମ୍ୟୁନିସିପାଲିଟି କର୍ପୋରେସନର ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଅଧିକାରୀଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ନିଶ୍ଚିତ ହୋଇନାହିଁ, କିନ୍ତୁ ସୁରକ୍ଷାରେ କୌଣସି କୋହଳ ନହୋଇ ତଦନ୍ତ ଚାଲିଛି । କହିରଖୁଛୁ, ଯେ ଗତ କିଛି ଦିନ ହେବ ରାଜସ୍ଥାନରେ ଏଭଳି ଧମକ ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଡିସେମ୍ବର ୫ରେ ଜୟପୁରର ରାଜସ୍ଥାନ ହାଇକୋର୍ଟ ଏବଂ ଡିସେମ୍ବର ୪ରେ ଆଜମେରର ଦର୍ଘା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ବୋମା ଧମକ ଦିଆଯାଇଥିଲା ।
ଏହି ସମସ୍ତ ମାମଲାରେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ, କିନ୍ତୁ କ୍ରମାଗତ ଧମକ ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି । ପୋଲିସର ସାଇବର ଟିମ୍ ଇମେଲର ଲୋକେସନ ଟ୍ରାସ୍ କରିବାରେ ଲାଗିଛନ୍ତି । ଗୁଜବ ପ୍ରତି ଧ୍ୟାନ ନଦେଇ ସହଯୋଗ ବଜାୟ ରଖିବାକୁ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି ।






