ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧ ପ୍ରତିଶତ ସମାଧାନ ହୋଇଛି । ଦେଢ଼ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ ଅଭିଯୋଗ ଗ୍ରହଣ କରିଛନ୍ତି ସେଥିରୁ ୧୨ ହଜାର ୪୩୨ ଅଭିଯୋଗର ସମାଧାନ ହୋଇଛି । ବାକି ଅଭିଯୋଗ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛି ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଆଇନ ମନ୍ତ୍ରୀ କହିଛନ୍ତି, ଜିଲ୍ଲା, ଉପଖଣ୍ଡ ଓ ତହସିଲ ସ୍ତରରେ ମଧ୍ୟ ପ୍ରତି ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲୁଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ନିର୍ଦ୍ଦେଶାଳୟ ସହ ଅନଲାଇନ ପୋର୍ଟାଲ ମାଧ୍ୟମରେ ବି ଅଭିଯୋଗ ରେଜିଷ୍ଟ୍ରେସନ କରାଯାଉଛି । ପୂର୍ବରୁ ୨୦୦୮ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲେ ବି ପୂର୍ବ ସରକାର ସମୟରେ ଏହା ହେଉ ନ ଥିଲା ।






