ନୂଆଦିଲ୍ଲୀ : ଥମୁନି ଇଣ୍ଡିଗୋ ସଙ୍କଟ । ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା ସହିତ ସାଢେ ୪ ହଜାର ବ୍ୟାଗ୍ ଫେରସ୍ତ କଲା ଇଣ୍ଡିଗୋ । ୩୬ ଘଣ୍ଟା ମଧ୍ୟରେ ବାକି ରହିଥିବା ଆଉ କିଛି ବ୍ୟାଗ୍ ଯାତ୍ରୀଙ୍କୁ ହସ୍ତାନ୍ତର କରାଯିବ ।
ସୂଚନାନୁଯାୟୀ, ଇଣ୍ଡିଗୋ ବିମାନ ଆଜିକୁ ୭ ଦିନ ହେବ ସଙ୍କଟ ଅବସ୍ଥାରେ ରହିଛି । ଆଜି ମଧ୍ୟ ୫୦୦ ଉଡ଼ାଣ ବାତିଲ କରିଛି କମ୍ପାନୀ । ଆଜି ୧୮୦୦ରୁ ଅଧିକ ଉଡ଼ାଣ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇଯିବ । ଯାହାର ସୂଚନା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି । ୧ରୁ ୭ ଡିସେମ୍ବର ପର୍ଯ୍ୟନ୍ତ ବୁକ୍ ହୋଇଥିବା ୫,୮୬,୭୦୫ ଟି ଟିକେଟର ପିଏନଆର୍ ବାତିଲ କରାଯାଇଛି । ଏଥିସହ ୫୬୯.୬୫ କୋଟି ଟଙ୍କା ଫେରସ୍ତ କରାଯାଇଛି । ଏହା ବ୍ୟତୀତ ୨୧ ନଭେମ୍ବରରୁ ୭ ଡିସେମ୍ବର ପର୍ଯ୍ୟନ୍ତ ୯,୫୫,୫୯୧ ପିଏନଆର ବାତିଲ କରାଯାଇଛି ଏବଂ ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା ଫେରସ୍ତ କରାଯାଇଛି ।
ଏହାରି ମଧ୍ୟରେ ମନ୍ତ୍ରଣାଳୟ କହିଛି ଯେ, କମ୍ପାନୀ ୯୦୦୦ ବ୍ୟାଗ୍ ମଧ୍ୟରୁ ୪୫୦୦ ବ୍ୟାଗ୍ ଯାତ୍ରୀଙ୍କୁ ହସ୍ତାନ୍ତର କରିଛି । ବାକି ରହିଥିବା ଆଉ କିଛି ବ୍ୟାଗ୍ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଯାତ୍ରୀମାନଙ୍କୁ ହସ୍ତାନ୍ତର କରାଯିବ । ଇଣ୍ଡିଗୋ ୧୩୮ ଟି ସ୍ଥାନରୁ ୧୩୭ ଟି ସ୍ଥାନକୁ ୧୮୦୨ ଟି ବିମାନ ଚଳାଚଳ କରିବାକୁ ଯୋଜନା କରୁଛି । ଏହାର ୫୦୦ ଟି ବିମାନ ବାତିଲ କରାଯାଇଛି । ଶହ ଶହ ବିମାନ ବାତିଲ ହେଉଥିବା ଯୋଗୁଁ ଲକ୍ଷ ଲକ୍ଷ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ମନ୍ତ୍ରଣାଳୟରୁ ସୂଚନା ମିଳିଛି ।





