ପିପିଲି : ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଡ୍ରଗ୍ସ ନେବାକୁ ବାଧ୍ୟ କରିବା ସହ ପାଇଖାନା ଚଟାଣ ଚଟାଇ ମାଡ଼ ମାରିଲେ । ଭୁବନେଶ୍ବର ଉପକଣ୍ଠ ପିପିଲି ବ୍ଲକ ଅଞ୍ଚଳରେ ଥିିବା ବିଶ୍ବବିଦ୍ୟାଳୟରୁ ଅଭିଯୋଗ ହୋଇଛି । ଛାତ୍ରଙ୍କୁ ମାଡ଼ ମାରିବା ସହ ଦୁଇଲକ୍ଷ ଟଙ୍କା ଦେବାକୁ ଧମକ ଦିଆଯାଇଛି । ଏନେଇ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ଛାତ୍ରଙ୍କ ଅଭିଭାବକ ।
ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ଜଣେ ଛାତ୍ର ବିଶ୍ବବିଦ୍ୟାଳୟରେ ପାଠ ପଢନ୍ତି । ତାଙ୍କର ଜଣେ ସହପାଠୀ ଓ ସିନିୟର୍ କଲେଜର ଦ୍ବିତୀୟ ମହଲାକୁ ଡାକିନେଇଥିଲେ । ସେଠାରେ ପାଇଖାନା ପ୍ୟାନ୍ ରେ ଛାତ୍ରଙ୍କ ମୁହଁ ଭର୍ତ୍ତି କରିବା ସହ ଚଟାଣ ଚଟାଇଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ପାଇଖାନାରେ ମାଡ ମାରିଥିଲେ । ପରେ ବାହାରକୁ ଡାକିନେଇ ଡ୍ରଗ୍ସ ନେବାକୁ ବାଧ୍ୟ କରିଥିଲେ । ଏପରିକି ଦୁଇ ଲକ୍ଷ ଟଙ୍କା ଦେବାକୁ ଧମକାଇଥିଲେ । ଏନେଇ ଯୁବକ ଜଣକ ତାଙ୍କ ପରିବାରକୁ ଜଣାଇଥିଲେ ।
କଲେଜ କର୍ତ୍ତୃପକ୍ଷଙ୍କୁ ଇ-ମେଲ୍ ଜରିଆରେ ଜଣାଇଥିଲେ ଅଭିଭାବକ । ଏହାପରେ କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କ ପରିବାରକୁ ଡାକି ଆପୋଷ ସମାଧାନ କରିବାକୁ କହିଥିଲେ । ଏହାପରେ ପିପିଲି ଥାନାରେ ଅଭିଯୋଗ କରିଛନ୍ତି ପୀଡିତଙ୍କ ପରିବାର । ପୋଲିସ ଛାତ୍ରଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ମାମଲା ରୁଜୁ କରି ତଦନ୍ତ କରୁଛି ।








