ଭୁବନେଶ୍ୱର : ମହାନଦୀ ଜଳ ବିବାଦ ମାମଲା ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଗଠନ କରାଯାଇଛି । ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ କମିଟିରେ ସାମିଲ ଅଛନ୍ତି । ଆସନ୍ତା ୨୦ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି କରିବାକୁ ଯାଉଛନ୍ତି ।
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ । ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ଦେବ ।








