ଓଡ଼ିଶା

ବଲାଙ୍ଗୀରରେ ଅମାନୁଷିକ ଘଟଣା: ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ!

ବଲାଙ୍ଗୀର, ୧୩/୧୨ : ବଲାଙ୍ଗୀର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ କଟାପାଲି ଗାଁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଶାରୀରିକ ନିର୍ଯାତନା ଦେବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି| ମୃତ ମହିଳା ହେଲେ କୁଳବତୀ ପରୁଆ ଏବଂ ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ପିଣ୍ଟୁ ପରୁଆ| ଏହି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି|

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁଳବତୀ ଏବଂ ପିଣ୍ଟୁଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା| ପିଣ୍ଟୁ ଜଣେ ମଦ୍ୟପ ଥିବା ବେଳେ ପ୍ରାୟତଃ ମଦ୍ୟପାନ କରି କୁଳବତୀଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ| ଗୁରୁବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ଝଗଡ଼ା ହୋଇଥିଲା| ଏହି ଝଗଡ଼ା ଉଗ୍ର ରୂପ ନେବାରୁ ପିଣ୍ଟୁ ଉତକ୍ଷିପ୍ତ ହୋଇ କୁଳବତୀଙ୍କୁ ପ୍ରଥମେ ନିର୍ମମ ଭାବେ ମାଡ଼ ମାରିଥିଲେ ଏବଂ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ| ଫଳରେ କୁଳବତୀଙ୍କ ଶରୀର ସମ୍ପୂର୍ଣ୍ଣ ଜଳିଯାଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା|

କୁଳବତୀଙ୍କ ପରିବାର ଲୋକେ ବେଲପଡା ଥାନାରେ ଅଭିଯୋଗ କରିଛନ୍ତି ଯେ, ପିଣ୍ଟୁ ଜାଣିଶୁଣି ତାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶରୀରରେ ନିଆଁ ଲଗାଇ ଦେଇଥିଲେ| ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ମୃତ୍ୟୁ ପୂର୍ବରୁ ତାଙ୍କୁ ଫୋନ କରି ନିର୍ଯାତନା ବାବଦରେ କହିଥିଲେ ଏବଂ ସେ ଭୟଭୀତ ଥିଲେ| ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେ ଦାବି କରିଛନ୍ତି|

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି| ଏହି ଘଟଣାର ତଦନ୍ତ ପାଇଁ ବଲାଙ୍ଗୀର ପୋଲିସ ସହିତ ଏକ ବୈଜ୍ଞାନିକ ଦଳ ଏବଂ ବେଲପଡା ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି| ଅଭିଯୁକ୍ତ ପିଣ୍ଟୁ ପରୁଆକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି| ତେବେ ପିଣ୍ଟୁ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେ ଶୋଇଥିବା ସମୟରେ ତାଙ୍କ ସ୍ତ୍ରୀ ଘରୁ ଚାଲିଯାଇଥିଲେ| ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଏବଂ ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା କରିଛି|
#OdishaCrime #BalangirIncident #DomesticViolence #WifeBurntAlive #CrimeNews #Katapali #BelpadaPolice #JusticeForKulabati #OdishaNews

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL