ଭୁବନେଶ୍ୱର : ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର। ଏଣିକି ଓଡିଶା ଲୋକେ ଭିସା ପାଇଁ ଆଉ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବେ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ।
ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍ଡିଙ୍ଗ୍ ରେ କାର୍ଯ୍ୟକ୍ଷମ ହେବ। ଯାହା ପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇଦେବେ । ଆନ୍ତର୍ଜାତିକ ଭିସା ପାଇବା ପାଇଁ ପୂର୍ବରୁ ରାଜ୍ୟବାସୀଙ୍କୁ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଭଳି ଅନ୍ୟ ସହରକୁ ଯିବା ପାଇଁ ପଡୁଥିଲା । ଭୁବନେଶ୍ୱରରେ ଏକ ଭିସା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ବହୁ ଦିନରୁ ଦାବି ରହିଆସିଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।








