ସମ୍ବଲପୁର: ସମ୍ବଲପୁରରେ ଜନ୍ମିତ ତିସ୍ୟା ପାଣିଗ୍ରାହୀ । ଓଡ଼ିଆ ଜଳପରୀ । ଗଭୀର ସମୁଦ୍ରରେ ଡାଇଭ୍ କରି ସମସ୍ତଙ୍କୁ କରିଛନ୍ତି ଗର୍ବିତ । ଦୁବାଇ ବାସିନ୍ଦା ଓଡ଼ିଆ ସ୍କୁବା ଡାଇଭର ୧୫ ବର୍ଷୀୟ ତିସ୍ୟା ପାଣିଗ୍ରାହୀ ହାସଲ କରିଛନ୍ତି ନୂଆ ରେକର୍ଡ । କିଛି ଦିନ ପୂର୍ବେ ନିଜର ୫୦ ତମ ଡାଇଭ୍ ପୁରା କରି ରେକର୍ଡ କରିଛନ୍ତି ଏହି କୁନି ଝିଅ । ମାଳଦ୍ବୀପର ‘କାଣ୍ଡୁମା ଥିଲା’ ଡାଇଭ୍ ସ୍ଥଳରେ ତିସ୍ୟା ନିଜର ୫୦ତମ ଡାଇଭ୍ ପୂରା କରିଛନ୍ତି । ‘କାଣ୍ଡୁମା ଥିଲା’ – ମାଳଦ୍ବୀପର ଗୋଟିଏ ଜଣାଶୁଣା ଏବଂ ରୋମାଞ୍ଚକାରୀ ଡାଇଭ ସାଇଟ୍ । ତାଲିମ ଦୃଷ୍ଟିକୋଣରୁ ଅତ୍ୟନ୍ତ କଠିନ ଓ ହୃଦୟସ୍ପର୍ଶୀ ସ୍ଥାନରେ ୧୦୦ ଫୁଟ ଗଭୀର ସମୁଦ୍ର ମଧ୍ୟରେ ଡାଇଭିଂ କରି ତିସ୍ୟା ନିଜର ୫୦ ତମ ଡାଇଭ୍ ର ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ।
ଖବର ଅନୁସାରେ ୧୫ ବର୍ଷ ବୟସରେ ୫୦ ତମ ଡାଇଭ୍ ପୂରଣ କରିଥିବା ଏମିତି କୌଣସି ଓଡ଼ିଆ ରେକର୍ଡ କରିନାହାନ୍ତି । କିନ୍ତୁ ତିସ୍ୟା ପାଣିଗ୍ରାହୀ ନିଜର ଟ୍ୟାଲେଣ୍ଟ ଦେଖାଇ ଗଭୀର ସମୁଦ୍ରରେ ୫୦ ତମ ଡାଇଭ୍ ପୂରଣ କରି ସବୁଠାରୁ କନିଷ୍ଠ ଓଡ଼ିଆ ଡାଇଭର୍ ଭାବେ ଓଡ଼ିଶାର ନାଁ କରିଛନ୍ତି । ଏହି ଡାଇଭ୍, ଦକ୍ଷିଣ ଆଫ୍ରିକାର ସ୍କୁବା ଡାଇଭିଂ ଇନଷ୍ଟ୍ରକଟର ଲୁକାଙ୍କ ନିରୀକ୍ଷଣରେ ହୋଇଥିଲା ।
ଏହି ରେକର୍ଡର ମାଇଲଖୁଣ୍ଟ ସ୍ଥାପନରେ ତିସ୍ୟାଙ୍କ ବାପା ତଥା ଦୀର୍ଘ ଦିନର ଡାଇଭ୍ ପାର୍ଟନର ଆଡଭାନ୍ସଡ ସ୍କୁବା ଡାଇଭର ପ୍ରିୟଦର୍ଶୀ ପାଣିଗ୍ରାହୀ ସାଥ୍ ଦେଇଥିଲେ। ସ୍କୁବା ଡାଇଭିଂ କ୍ଷେତ୍ରରେ ଓଡ଼ିଆ ବାପ-ଝିଅଙ୍କ ଯୋଡ଼ି କୀର୍ତ୍ତି ସ୍ଥାପନ କରିପାରିଛି । ଡାଇଭିଂ ବେଳେ ପ୍ରଖର ସ୍ରୋତରୁ ସୁରକ୍ଷିତ ରହିବା ଲାଗି ଉଭୟ ଏକ ହୁକ୍ ବ୍ୟବହାର କରିଥିଲେ । ତେବେ ଅଥଳ ଜଳରାଶିରେ ଡାଇଭିଂ ବେଳେ ବିଶାଳ ସାମୁଦ୍ରିକ ଜୀବଙ୍କ ସଂସ୍ପର୍ଶରେ ଆସିବା ଦୁହିଁଙ୍କ ପାଇଁ ଯେତିକି କୌତୁହଳ ଥିଲା ସେତିକି ରୋମାଞ୍ଚ ଭରା ଥିଲା । ସାର୍କ ଭଳି ବଡ଼ ସାମୁଦ୍ରିକ ଜୀବଙ୍କୁ ଅତି ନିକଟରୁ ଦେଖିବା ସଦା ସ୍ମରଣୀୟ ହୋଇ ରହିବ ବୋଲି ତିସ୍ୟା ଓ ପ୍ରିୟଦର୍ଶୀ କହିଛନ୍ତି ।
ସମ୍ବଲପୁରରୁ ଦୁବାଇ ପର୍ଯ୍ୟନ୍ତ ତିସ୍ୟାଙ୍କ ଯାତ୍ରା ଅସାଧାରଣ ଥିଲା । ଓଡ଼ିଶାର ସମ୍ବଲପୁରରେ ୨୦୧୦ରେ ଜନ୍ମିତ ତିସ୍ୟା ଗତ ୧୩ ବର୍ଷ ଧରି ଦୁବାଇରେ ରହି ଆସୁଛନ୍ତି । ଏହା ପୂର୍ବରୁ ସେ ଭିଏତନାମରେ ମଧ୍ୟ କିଛି ବର୍ଷ କାଟିଥିଲେ । ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା, ୨୦୨୦ରୁ ସେ ସ୍କୁବା ଡାଇଭିଂ ଆରମ୍ଭ କରିଥିଲେ । ଏହାରି ଭିତରେ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର, ସର୍ବକନିଷ୍ଠ ଆଡଭାନ୍ସଡ ସ୍କୁବା ଡାଇଭର ଓ ସମୁଦ୍ରର ୧୦୦ ଫୁଟ୍ ଗଭୀର ଜଳରାଶିରେ ଡାଇଭିଂ କରିବାର ସର୍ବକନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ରେକର୍ଡ ହାସଲ କରି ଗୌରବ ଅର୍ଜନ କରିଛନ୍ତି ତିସ୍ୟା ।
ବ୍ୟକ୍ତିଗତ ସଫଳତା ବ୍ୟତୀତ, ତିସ୍ୟା ସମୁଦ୍ର ସୁରକ୍ଷା ଓ ସଚେତନତା ପ୍ରଚାର ପାଇଁ ନିଜ ମଞ୍ଚକୁ ବ୍ୟବହାର କରୁଛନ୍ତି । ସେ ଅଣ୍ଡରୱାଟର୍ କ୍ଲିନ୍-ଅପ୍ରେ ଯୋଗଦେଉଛନ୍ତି, ବିଭିନ୍ନ ଡାଇଭିଂ ମ୍ୟାଗାଜିନରେ ଲେଖୁଛନ୍ତି ଏବଂ ଯୁବପିଢିକୁ ସମୁଦ୍ର ସୁରକ୍ଷାରେ ଯୋଗଦାନ କରିବାକୁ ପ୍ରେରିତ କରୁଛନ୍ତି । ତିସ୍ୟା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଦିବଙ୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ଶିକ୍ଷାବିଦ୍ ଦିବଙ୍ଗତ ସୁନନ୍ଦା ପାଣିଗ୍ରାହୀଙ୍କର ନାତୁଣୀ । ସେ ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କର ମଧ୍ୟ ନାତୁଣୀ ।









