ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି। ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ରାତ୍ର ୨ଟାରୁ ଦ୍ୱାର ଫିଟା ହେବା ସହ ୫ଟା ୩୦ରୁ ୬ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପହିଲିଭୋଗ ଲାଗି ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁ ମୁଆଁ ଲାଗି ହୋଇଛି । ଗୋପାଳବଲ୍ଲଭ ପରେ ପହିଲିଭୋଗ ନୀତି ସମ୍ପନ୍ନ ହେବ ।
ପହଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଡି ଭୋରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମାନଙ୍କରେ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି। କଥିତ ଅଛି ଯେ, ଆଜିଠାରୁ ମାଆ ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମାଆ ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମାଆ ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ଯାଏଁ ପହଲିଭୋଗ ପ୍ରସ୍ତୁତ କରାଯାଏ ।








