ଭୁବନେଶ୍ୱର : ଦେଶର ଫାର୍ମା ହବ୍ ହେବ ଓଡ଼ିଶା । ଓଡ଼ିଶା ଫାର୍ମା ସମ୍ମିଳନୀରେ ଓଡ଼ିଶା ଔଷଧ ଓ ଚିକିତ୍ସା ଉପକରଣ ନୀତି -୨୦୨୫ ଲଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମ୍ମିଳନୀରେ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ । ଏହାଦ୍ବାରା ସୃଷ୍ଟି ହେବ ୩୮,୪୦୬ ନିଯୁକ୍ତି ସୁଯୋଗ । ନୂଆ ନୀତିରେ ୨୦୩୦ ସୁଦ୍ଧା ୨୫ ହଜାର କୋଟି ନିବେଶ ସାଙ୍ଗକୁ ଏକ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ଲକ୍ଷ୍ୟ ରହିଛି । ଖୋର୍ଦ୍ଧାଠାରେ ଫାର୍ମା ପାର୍କ ଓ ମେଜିକାଲ ଡିଭାଇସ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ଫାର୍ମା ହବ ହେବ ଓଡ଼ିଶା । ରାଜ୍ୟକୁ ଫାର୍ମା ନିବେଶକଙ୍କ ପ୍ରଥମ ପସନ୍ଦ କରିବା ଉପରେ ଗୁରୁତ୍ବ ଦିଆଯାଉଛି । ଫାର୍ମା ନିବେଶକଙ୍କୁ ସରକାର ସବୁ ସୁବିଧା ଯୋଗାଇ ଦେବେ । ଓଡ଼ିଶା ଔଷଧ ଓ ଚିକିତ୍ସା ଉପକରଣ ନୀତି -୨୦୨୫ର ମୁଖ୍ୟ ଲକ୍ଷ୍ୟ ନିବେଶ, ନିଯୁକ୍ତି ଓ ଶିଳ୍ପ ପାର୍କ ପ୍ରତିଷ୍ଠା । ରାଜ୍ୟରେ ୨୦୩୦ ସୁଦ୍ଧା ୨୫,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆକର୍ଷିତ କରାଯିବ । ଏଥିଯୋଗୁ ୧ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ସେହିପରି ଦୁଇଟି ବଡ଼ ପାର୍କ ‘ଓଡ଼ିଶା ଫାର୍ମା ପାର୍କ’ ଏବଂ ‘ଓଡ଼ିଶା ମେଡଟେକ୍ ପାର୍କ’ ପ୍ରତିଷ୍ଠା କରାଯିବ ।
ନୂଆ ନୀତିରେ ଶିଳ୍ପପତି ଓ ନିବେଶକଙ୍କ ପାଇଁ ମୁଖ୍ୟ ସୁବିଧା ହେଉଛି-ଜମି ରିହାତି । ଯେଉଁ କମ୍ପାନୀ ଅତିକମରେ ୨୦୦ ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦେବେ, ସେହି କଂପାନୀକୁ ଜମି ମୂଲ୍ୟ ଉପରେ ୫୦% ରିହାତି ମିଳିବ । ସେହିପରି ପ୍ଲାଣ୍ଟ ଓ ମେସିନ କିଣିବା ଖର୍ଚ୍ଚର ୩୦% ସରକାର ସବସିଡି ଆକାରରେ ଦେବେ । ଉଚ୍ଚ ଦକ୍ଷତା ସମ୍ପନ୍ନ କର୍ମଚାରୀଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ।
ନୂଆ ଜ୍ଞାନକୌଶଳ ଓ ଗବେଷଣା ପାଇଁ ଖର୍ଚ୍ଚର ୫୦% ସହାୟତା ମିଳିବ । ଏଥିପାଇଁ କ୍ଷୁଦ୍ର ଶିଳ୍ପକୁ ୧୦ କୋଟି ଓ ବଡ଼ ଶିଳ୍ପକୁ ୧୦୦ କୋଟି ଯାଏଁ ସହାୟତା ମିଳିପାରିବ । ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ୨୫% ସବସିଡି ଓ ରାଜ୍ୟ ଜିଏସଟି ଉପରେ ୧୦୦% ଫେରସ୍ତ ବ୍ୟବସ୍ଥା ରହିଛି । ଶିଳ୍ପ ପାଇଁ ଆବଶ୍ୟକ ଜମି, ପରୀକ୍ଷାଗାର ଏବଂ ତାଲିମ କେନ୍ଦ୍ର ଶିଳ୍ପ ପାର୍କ ଭିତରେ ଯୋଗାଇ ଦିଆଯିବ। ନୂଆ ଓଡ଼ିଶା ଔଷଧ ଓ ଚିକିତ୍ସା ଉପକରଣ ନୀତିରେ ସାଧାରଣ ଔଷଧ, ଟିକା ଭିଟାମିନ୍, ପ୍ରାଣୀ ଚିକିତ୍ସା ଔଷଧ, ଅପରେସନ୍ ଯନ୍ତ୍ରପାତି, ଡାଇଗ୍ନୋଷ୍ଟିକ୍ କିଟ୍, ଇମ୍ପ୍ଲାଣ୍ଟସ୍ ଓ ଡିଜିଟାଲ୍ ସ୍ୱାସ୍ଥ୍ୟ ଉପକରଣ ଶିଳ୍ପାନୁଷ୍ଠାନ ଅନ୍ତର୍ଭୁକ୍ତ ।









