ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଖୁଲାସା କରୁଛି ଏନଆଇଏ । ବର୍ତ୍ତମାନ ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ପରିଚୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଆକ୍ରମଣର ମୁଖ୍ୟଷଡ଼ଯନ୍ତ୍ରକାରୀକୁ ଧରାଇଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।
ସୂଚନାନୁଯାୟୀ, ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଏହି ଷଡଯନ୍ତ୍ର କରିଥିବା ନେଇ ଏନଆଇଏ ପାଖରେ ପକ୍କା ପ୍ରମାଣ ରହିଛି । ପାକିସ୍ତାନରେ ରହୁଥିବା ଲସ୍କର-ଏ-ତୋଇବା କମାଣ୍ଡର ସାଜିଦ୍ ଭଟ୍ଟ ଏହି ଆକ୍ରମଣର ମୁଖ୍ୟ ନାୟକ ଥିଲା । ସେ ପାକିସ୍ତାନରେ ରହି ଆକ୍ରମଣ ପରିଚାଳନା କରୁଥିଲା । ତାକୁ ଧରାଇଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ଆକ୍ରମଣ କରିଥିବା ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ଫୈସଲ, ହବିବ ଓ ହାମଜ ନାଁ ଚାର୍ଜସିଟରେ ଅଛି । ଜୁଲାଇ ଶ୍ରୀନଗରରେ ସୁରକ୍ଷା ବାହିନୀ ସହ ଗୁଳିବିନିମୟରେ ଏମାନେ ନିହତ ହୋଇଛନ୍ତି । ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରଣ ଘାଟିରେ ଆତଙ୍କବାଦୀ ୨୫ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ମମ ହତ୍ୟା କରିଥିଲେ ।
ଅନ୍ୟପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚାର୍ଜସିଟ ଦାଖଲ ହୋଇଛି । ପାକ୍ ଆତଙ୍କବାଦୀ ସଂଗଠନ ସହ ପାଞ୍ଚଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ । ପାକିସ୍ତାନର ଦୁଇ ଆତଙ୍କବାଦୀ ସଂଗଠନ ଲସ୍କର- ଏ- ତୋଏବା ଓ ଦି ରେଜିଷ୍ଟାନସ ଫ୍ରଣ୍ଟ ନାଁ ଚାର୍ଜସିଟରେ ରହିଛି । ଲସ୍କର ଓ ଟିଆରଏଫ ଆତଙ୍କବାଦୀ ଆକ୍ରମଣର ମୁଖ୍ୟଷଡ଼ଯନ୍ତ୍ରକାରୀ । ତେବେ ଏହାକୁ କାର୍ଯ୍ୟକାରୀ କରିବାରେ ମୁଖ୍ୟ ଭୂମିକା ଲସ୍କରର ଟପ କମାଣ୍ଡର ସାଜିଦ ଭଟ୍ଟର ରହିଥିଲା । ଏଥିରେ ତାକୁ ସହାୟତା କରିଥିବା ଅଭିଯୋଗରେ ୫ଜଣଙ୍କ ନାଁ ଚାର୍ଜସିଟରେ ରହିଛି । ପହଲଗାମ ଆକ୍ରମଣ ନେଇ ୧୫ଶହ ୯୭ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି । ଆକ୍ରମଣ ପାଇଁ ପାକିସ୍ତାନରେ ଯୋଜନା କରାଯାଇଥିଲା ।






