ଆମେରିକା : ଭେନେଜୁଏଲା ବିରୋଧରେ ଟ୍ରମ୍ପଙ୍କ ‘ମହାଯୁଦ୍ଧ’! । ସମୁଦ୍ର ମଝିରେ ଅଟକିଲା ତେଲ ଟ୍ୟାଙ୍କର । ଆମେରିକାର ସବୁଠୁ ବଡ଼ ନାକାବନ୍ଦୀ । ମାଦୁରୋ ସରକାରକୁ ‘ଆତଙ୍କବାଦୀ’ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ଗତ ୧୬ ତାରିଖରେ ଆମେରିକା ଭେନେଜୁଏଲାର ସମସ୍ତ ତୈଳ ଟ୍ୟାଙ୍କର ଉପରେ “ସମ୍ପୂର୍ଣ୍ଣ ରୋକ୍” ବା ବ୍ଲକେଡ୍ ଲଗାଇବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ ।
ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଶାସନକୁ ଏକ “ବିଦେଶୀ ଆତଙ୍କବାଦୀ ସଙ୍ଗଠନ” ବୋଲି ଆଖ୍ୟା ଦେଇଛନ୍ତି । ଭେନେଜୁଏଲା ଚୋରି ତେଲ ବିକ୍ରି କରି ସେହି ଟଙ୍କାରେ ଡ୍ରଗ୍ସ କାରବାର, ମଣିଷ ଚାଲାଣ ଏବଂ ହତ୍ୟା ଭଳି ଅପରାଧ କରୁଥିବା ଅଭିଯୋଗ ହୋଇଛି । ଦକ୍ଷିଣ ଆମେରିକା ଇତିହାସର ସବୁଠାରୁ ବଡ଼ ନୌସେନା ବାହିନୀ ବର୍ତ୍ତମାନ ଭେନେଜୁଏଲାକୁ ଚାରିପଟୁ ଘେରି ରହିଛି । ଆମେରିକାର ସମ୍ପତ୍ତି ଏବଂ ତୈଳ ଫେରସ୍ତ ନ ମିଳିବା ଯାଏଁ ସେନା ହଟିବ ନାହିଁ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଆମେରିକା ନିକଟରେ ଭେନେଜୁଏଲାର ତେଲ ଟ୍ୟାଙ୍କର ଜବତ କରିବା ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି । ଏହି ଘଟଣା ପରେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ସାମାନ୍ୟ ବଢ଼ିଛି । ମାଦୁରୋ ଏହାକୁ ଆମେରିକାର ଦାଦାଗିରି ବୋଲି କହିଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭେନେଜୁଏଲାର ଅର୍ଥନୀତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେବ ବୋଲି କୁହାଯାଉଛି ।





