ଭୁବନେଶ୍ୱର: ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଇନଫୋଭ୍ୟାଲି ଠାରେ ଏକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ନିର୍ମାଣକୁ ମଞ୍ଜୁରି ମିଳିଛି। ଶୁକ୍ରବାର ରାଜ୍ୟସଭାରେ ଏହି ସୂଚନା ଦେଇ କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ର ମନ୍ତ୍ରୀ ଜିତିନ ପ୍ରସାଦ। ସେ କହିଛନ୍ତି, ଏହି ପ୍ରକଳ୍ପରେ ୨୦୦.୭୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୨୦୩.୩୭ ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ କେନ୍ଦ୍ର ସରକାର ୯୩.୦୯ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇଦେବେ। ଏହି ପ୍ରକଳ୍ପରେ ୧୫୩୦ କୋଟି ଟଙ୍କାର ନିବେଶ ସହିତ ୩ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ଏହାବ୍ୟତୀତ ସେମିକନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ୪ହଜାର ୩କୋଟିରୁ ଅଧିକ ଟଙ୍କା ବ୍ୟୟରେ ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟକୁ ମଞ୍ଜୁରି ମିଳିଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ଏସବୁ କେନ୍ଦ୍ରରେ ନିର୍ମିତ ଚିପ୍ ଅଟୋମୋବାଇଲ, ମହାକାଶ, ପ୍ରତିରକ୍ଷା, ବୈଦ୍ୟୁତିକ ବାହନ, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉପକରଣ ଆଦିରେ ଉପଯୋଗ କରାଯିବ। ସେହିପରି ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଓ ଆଇଟି (ଏନଆଇଇଏଲଆଇଟି) ଭୁବନେଶ୍ୱର ଏବଂ ବାଲେଶ୍ୱରେ ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରିବା ସହିତ 35ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି। ଏସବୁ କେନ୍ଦ୍ରରେ ୨୫ହଜାରୁ ଅଧିକ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଇଥିବା ଜିତିନ ପ୍ରସାଦ କହିଛନ୍ତି।







