ଜାତୀୟ

ଗାଁର ଜନସଂଖ୍ୟା ୧,୩୯୪, ତିନି ମାସରେ ଜନ୍ମ ନେଲେ ୨୭,୩୯୭ ପିଲା, ଯାଞ୍ଚ ଲାଗି ଗଠନ ହେଲା SIT

ମୁମ୍ବାଇ ୨୪।୧୨: ମହାରାଷ୍ଟ୍ର ୟବତମାଲ ଜିଲ୍ଲା ସେନ୍ଦୁରସାନୀ ଗାଁ ମିଛ ଜନ୍ମ ପଞ୍ଜିକରଣ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସଆଇଟି) ଗଠନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେନ୍ଦୁରସାନୀ ଗାଁର ମୋଟ ଜନସଂଖ୍ୟା ୧,୩୯୪ ହେଲେ ସେପ୍ଟେମ୍ବର-ନଭେମ୍ବର ୨୦୨୫ ମାତ୍ର ୩ ମାସ ମଧ୍ୟରେ ୨୭,୩୯୭ଟି ମିଛ ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଛି। ଏହି ଗୁରୁତର ଅନିୟମିତତା ମାମଲାର ଯାଞ୍ଚ ଦାୟିତ୍ୱ ମହାରାଷ୍ଟ୍ରର ଫଡନବୀସ ସରକାର ଏସଆଇଟିକୁ ପ୍ରଦାନ କରିଛନ୍ତି।

ଏହି ଏସଆଇଟିର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ମହାରାଷ୍ଟ୍ର ଯୁଗ୍ମ ନିବନ୍ଧକ ଜନ୍ମ ଏବଂ ମୃତ୍ୟୁ ଡା. ବବିତା କମଲାପୁରକର ଓ ୟବତମାଲ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୁଭାଷ ଢୋଲେ ବି ସାମିଲ ଅଛନ୍ତି। ଏସଆଇଟିକୁ ସରକାର ୧୦୦ ଦିନ ମଧ୍ୟରେ ବିସ୍ତୃତ ଯାଞ୍ଚ ରିପୋର୍ଟ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯାଞ୍ଚରୁ ଏତେ ସଂଖ୍ୟାରେ ମିଥ୍ୟା ଜନ୍ମ ପଞ୍ଜିକରଣ କିପରି ହେଲା ତାହା ଜଣାପଡିବ। ଏସଆଇଟି ଯାଞ୍ଚରେ ଏପରି କାଣ୍ଡ ପଛରେ କେଉଁ ଲୋକେ ଅଛନ୍ତି, ଏହାର ଉପଯୋଗ କୌଣସି ସଙ୍ଗଠିତ ଅପରାଧ, ନାଗରିକତା ଓ ପରିଚୟ କାଗଜପତ୍ରରେ ହେରେଫର ଅଥବା ଅବୈଧ ଗତିବିଦ୍ଧି ଲାଗି କରାଯାଇଛି କି ତାର ସନ୍ଧାନ ନିଆଯିବ।

ଉଲ୍ଲେଖଯୋଗ୍ୟ ଯେ ଏହି ଅନିୟମିତତା ପ୍ରଥମ ଥର ଗତ ସପ୍ତାହରେ ଜଣାପଡିଥିଲା। ଏହା ପରେ ପ୍ରଶାସନ ଆକ୍ସନ ମୋଡକୁ ଆସିଥିବା ବେଳେ ଏବେ ତଦନ୍ତ ପାଇଁ ଏସଆଇଟି ଗଠନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ବିଜେପି ନେତା କିରିଟ ସୋମୈୟା ୟବତମାଲ ଜିଲ୍ଲା ସିନ୍ଦୁସେନୀ ଗାଁରେ ଚାଲିଥିବା ଏକ ବଡ଼ ଜନ୍ମ ପ୍ରମାଣପତ୍ର ଅନିୟମିତତାର ଅଭିଯୋଗ ଆଣିଥିଲେ। ସୋମୈୟା ଗାଁର ଅରନୀ ତହସିଲ ଅଫିସ ସହିତ ସ୍ଥାନୀୟ ପୋଲିସ ଷ୍ଟେସନକୁ ମଧ୍ୟ ଯାଇଥିଲେ। ସେ ଏହାକୁ ଭାରତର ସବୁଠୁ ବଡ଼ ବାର୍ଥ ସାର୍ଟିଫିକେଟ୍ ସ୍କାମ ଓ ଏହା ଇଣ୍ଟରନେଟ୍ ଅପରେସନରେ ହୋଇଛି ଯାହାର ଫଳାଫଳ ଇଣ୍ଟରନ୍ୟାସନାଲ ହୋଇପାରେ ବୋଲି କହିଥିଲେ।

ସୋମୈୟାଙ୍କ ଅନୁସାରେ ଏହି ଠକେଇ ଗ୍ରାମପଞ୍ଚାୟତ କମ୍ପ୍ୟୁଟର ଟର୍ମିନାଲ, ଓଟିପି ଆଧାରିତ ଲଗଇନ୍ ଓ ଇ-ମେଲ କ୍ରିଡେନ୍ସିଆଲର ତ୍ରୁଟିପୂର୍ଣ୍ଣ ଉପଯୋଗ କରି ହୋଇଥିଲା। କ୍ଲର୍କଙ୍କ ସାମାନ୍ୟ ଭୁଲ ଯୋଗୁ ଏକ ଆଡଭାନ୍ସ ସାଇବର ଏନେବଲ୍ଡ ରାକେଟ ଆଡକୁ ଇଶାରା କରୁଛି। ସୋମୈୟା ଦାବି କରିଛନ୍ତି ଯେ ଏହି ଅନିୟମିତତାରେ ଅଧିକାଂଶ ହିତାଧିକାରୀ ମହାରାଷ୍ଟ୍ର ନୁହନ୍ତି। ପ୍ରାରମ୍ଭିକ ଯାଞ୍ଚରୁ ଏହା ପଶ୍ଚିମବଙ୍ଗ, ଉତ୍ତର ଭାରତ ଓ ବାଂଲାଦେଶ ସହ ଜଡିତ ଥିବା ସେ ଅଭିଯୋଗ କରିଛନ୍ତି।

ଏଥିରେ ସବୁଠୁ ବଡ଼ ଚିନ୍ତାର ବିଷୟ ଯାହା ତାହା ହେଉଛି ୨୭,୩୯୭ ରେଜିଷ୍ଟ୍ରେସନ ମଧ୍ୟରୁ ଅଧିକାଂଶ ୧୮ ବର୍ଷରୁ ଅଧିକ ବୟଷ୍କ ଲୋକଙ୍କ ନାମରେ କରାଯାଇଛି। ସୋମୈୟା କହିଛନ୍ତି ଏହା ନବଜାତ ପିଲାଙ୍କର ନୁହେଁ ଏହା ସେହି ଲୋକଙ୍କର ଯେଉଁମାନଙ୍କୁ କାଗଜରେ ଜନ୍ମ ଦିଆଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL