ଜାତୀୟ

ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ : ବ୍ଲୁବାର୍ଡ ବ୍ଲକ-୨

ନୂଆଦିଲ୍ଲୀ: ଭାରତ ପାଇଁ ଏକ ଐତିହାସିକ ଦିନ । ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହେଲା ଏକ ନୂଆ ଫର୍ଦ୍ଦ। ଟେଲି କମ୍ୟୁନିକେସନ କ୍ଷେତ୍ରରେ ଇସ୍ରୋ ରଚିଲା ଇତିହାସ । ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ ଯିବା ପରେ ଉଇଁଛି ଆଶା । ମୋବାଇଲ ନେଟୱର୍କ ନେଇ ବିଭିନ୍ନ ସମୟରେ ସମସ୍ୟା ଦେଖା ଦେଉଥିବା ବେଳେ ଏବେ ସେ ଟେନ୍‌ସନ୍‌ ଗଲା । ଆଉ ମୋବାଇଲ୍ ନେଟଓ୍ଵର୍କ ପାଇଁ ଲୋକେ ପାହାଡ ଚଢିବେନି କି ଗଛ ଉପରେ କଥା ହେବାକୁ ଭାଡ଼ି ବାନ୍ଧିବେନି । ଦୁର୍ଗମ ଅଞ୍ଚଳର ଦୁଃଖ ଦୂର ହେବା ନେଇ ବାହୁବଳୀ ଦେଲା ବଡ଼ ଭରସା ।
ଆଗାମୀ ଦିନରେ ଇଣ୍ଟରନେଟ୍‌ ବା ମୋବାଇଲ କଲ୍ ପାଇଁ ମୋବାଇଲ ଟାୱାର ଉପରେ ଭରସା କରିବାକୁ ପଡ଼ିନପାରେ । ଯେଉଁଠି ଥିଲେ ବି ସହଜରେ କଲ୍‌ ଲାଗିଯିବ । କାରଣ ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ କ୍ଷେତ୍ରରେ ମିଳିବ ବଡ଼ ସଫଳତା । ମହାକାଶରେ ସ୍ଥାପନ ହେବ ବ୍ଲୁ ବାର୍ଡ ସାଟେଲାଇଟ୍, ଯାହା ମୋବାଇଲ୍ ଟାୱାର୍‌ ଗୁଡ଼ିକ ଭଳି କାମ କରିବ । ଏ କ୍ଷେତ୍ରରେ ଏବେ ଇତିହାସ ରଚିଛି ଭାରତ । ମହାକାଶକୁ ଉତକ୍ଷେପଣ ହୋଇଛି ଆମେରିକାର ବାଣିଜ୍ୟିକ ଯୋଗାଯୋଗ ସାଟେଲାଇଟ୍ ବ୍ଲୁବାର୍ଡ ବ୍ଲକ-୨ । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ ଏଲଭିଏମ୍-୩ ।
ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ଜରିଆରେ ଏଣିକି କମ୍ ନେଟୱର୍କ ଥିବା କିମ୍ବା ଦୁର୍ଗମ ଅଞ୍ଚଳର ଲୋକମାନେ ମଧ୍ୟ ବିନା କୌଣସି ବାଧାରେ ଭିଡିଓ କଲ୍ କରିପାରିବେ । କାରଣ ଏହି ସାଟେଲାଇଟ୍ ସିଧାସଳଖ ସ୍ମାର୍ଟଫୋନକୁ ମୋବାଇଲ୍ କନେକ୍ଟିଭିଟି ଯୋଗାଇଦେବ । ଏହାଫଳରେ ଗ୍ରାହକମାନଙ୍କୁ ଆଉ ମୋବାଇଲ୍ ଟାୱାର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । କାରଣ ସିଧାସଳଖ ସାଟେଲାଇଟ୍ ଜରିଆରେ ୪ଜି ଏବଂ ୫ଜି ସ୍ମାର୍ଟଫୋନରେ ହାଇ-ସ୍ପିଡ୍ ସେଲ୍ୟୁଲାର୍ ବ୍ରଡ୍‌ବ୍ୟାଣ୍ଡ କନେକ୍ଟିଭିଟି ସୁବିଧା ଅତି ସହଜରେ ଉପଲବ୍ଧ ହୋଇପାରିବ । ଏହି ବିଶେଷ ସେବା ପାଇବା ପାଇଁ ୟୁଜର୍ସଙ୍କୁ ନିଜର ସର୍ଭିସ ପ୍ରୋଭାଇଡର ବା ସିମ୍ ବଦଳାଇବାର ଆବଶ୍ୟକତା ପଡ଼ିବ ନାହିଁ । କାରଣ ସମ୍ପୃକ୍ତ କମ୍ପାନି ସାରା ବିଶ୍ୱର ପ୍ରମୁଖ ମୋବାଇଲ ଅପରେଟରଙ୍କ ସହ ମିଶି କାର୍ଯ୍ୟ କରୁଛି । ତେଣୁ ଏହାର ଫାଇଦା ବିଶ୍ୱର ସମସ୍ତ ୟୁଜର୍ସଙ୍କ ପାଖରେ ଅତି ସହଜରେ ପହଞ୍ଚାଯାଇପାରିବ ।
ଭାରତର ମହାକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତୀୟ ମାଟିରୁ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଓଜନଦାର ଉପଗ୍ରହ, ଭାରତର ମହାକାଶ ଯାତ୍ରାରେ ଏକ ଗର୍ବ ଓ ଗୌରବର ମାଇଲଖୁଣ୍ଟ। ଏହା ଭାରତର ଭାରୀ-ଉତକ୍ଷେପଣ କ୍ଷମତାକୁ ସୁଦୃଢ଼ କରେ ଏବଂ ବିଶ୍ୱ ବାଣିଜ୍ୟିକ ଉତକ୍ଷେପଣ ବଜାରରେ ଆମର ବିକଶିତ ଭୂମିକାକୁ ସୁଦୃଢ଼ କରେ। ଏହା ଏକ ଆତ୍ମନିର୍ଭର ଭାରତ ପ୍ରତି ଆମର ପ୍ରୟାସର ମଧ୍ୟ ପ୍ରତିଫଳନ। ଆମର କଠିନ ପରିଶ୍ରମୀ ମହାକାଶ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ। ଭାରତ ମହାକାଶ ଜଗତରେ ଆହୁରି ଉଚ୍ଚକୁ ଉଡ଼ି ଚାଲିଛି !

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL