ମାଲକାନଗିରି: ଜୁନିଅର ଇଞ୍ଜିନିୟର ନିହାର ରଞ୍ଜନ ସରକାର ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାରଙ୍କୁ ଗିରଫ କରିଛି ଓଡିଶା ଭିଜିଲାନ୍ସ । ତେବେ ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ୪୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି। ଶନିବାର ତାଙ୍କୁ ଜୟପୁର ଭିଜିଲାନ୍ସ ବିଶେଷ ଅଦାଲତରେ ହାଜର କରାଯିବ। ଏବେବି ତଦନ୍ତ ଜାରି ରହିଛି।
ସୂଚନା ମୁତାବକ, ଗତକାଲି ଜୟପୁର ଭିଜିଲାନ୍ସ ଟିମ୍ କୋଟିପତି କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଅଫିସ୍ ସମେତ ୪ଟି ସ୍ଥାନରେ ଚଢ଼ଉ କରିଥିଲା। ତାଙ୍କ ପାଖରୁ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ଭିଜିଲାନ୍ସ ତଥ୍ୟ ମୁତାବକ, ତାଙ୍କ କଳା ସାମ୍ରାଜ୍ୟରେ ଏକ ତିନି ମହଲାର ମୂଲ୍ୟବାନ ଅଟ୍ଟାଳିକା, ୮ଟି ମୂଲ୍ୟବାନ ପ୍ଲଟ୍, ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ଠାବ କରାଯାଇଛି। ବ୍ୟାଙ୍କ୍, ପୋଷ୍ଟାଲ୍ ଓ ଅନ୍ୟାନ୍ୟ ଜମା ରାଶି ସମ୍ପର୍କରେ ଖୋଳତାଡ଼ ଚାଲିଛି।








