ଭୁବନେଶ୍ବର: ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକଙ୍କୁ ପିଟିପିଟି ମାରିଦେବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ କରିଛନ୍ତି । ଯାହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଓଡ଼ିଶାରେ ହେଉ ଅବା ପଶ୍ଚିମବଙ୍ଗରେ ଦେଶର କେଉଁଠି ବି ଶ୍ରମିକଙ୍କ ଉପରେ ନିର୍ଯାତନା ଗ୍ରହଣୀୟ ନୁହେଁ । ମାନବାଧିକାରକୁ ଉଲ୍ଲଙ୍ଘନ କରିବା ଠିକ୍ ନୁହେଁ । ଏହା ବିରୋଧୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ।
ମମତାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ, ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗରେ ନିର୍ବାଚନ ଥିବା କାରଣରୁ ମମତା ଅଯଥା ବିଳିବିଳି ହେଉଛନ୍ତି । ତାଙ୍କର ଅଲଗା କିଛି ଉଦ୍ଦେଶ୍ୟ ଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ।
ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକ ମୃତ୍ୟୁ ମାମଲାରେ ପଶ୍ଚିମବଙ୍ଗ ପୋଲିସ ଜିରୋ ଏଫଆଇଆର ରୁଜୁ କରିଥିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଡିସେମ୍ବର ୨୪ରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହୃଦୟବିଦାରକ ଘଟଣା ବୋଲି କହିଥିଲେ ମମତା । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଥିଲେ ।







