ଓଡ଼ିଶା

ସେୟାର ଟେଡ୍ରିଂ ଆଳରେ ୪୦ କୋଟି ଠକେଇ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସେୟାର ବଜାର ସହ ଜଡ଼ିତ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଠକେଇର ମୁଖ୍ୟ ସନ୍ଦିଗ୍ଧକୁ ବାନ୍ଧିଲା ଇଓଡବ୍ଲୁ। ଅଭିଯୁକ୍ତଙ୍କ ନାମ ଅମିତ ମଣ୍ଡଳ ବୋଲି ଜଣାପଡ଼ିଛି। ଡିସେମ୍ବର ୩୧ ତାରିଖ ଦିନ ପଶ୍ଚିମବଙ୍ଗର ବାଙ୍କୁରାରୁ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ନେଇ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଶୁକ୍ରବାର ଦିନ ସୂଚନା ଦେଇଛନ୍ତି। ଗିରଫ ପରେ ତାଙ୍କୁ ସେଠାକାର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶାକୁ ଅଣାଯାଇଥିଲା। ତେବେ ଜାନୁଆରୀ ୨ ତାରିଖରେ ଅଭିଯୁକ୍ତକୁ ଓଡ଼ିଶା ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା (OPID) ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ କୋର୍ଟ ଏବଂ କଟକର ସ୍ୱତନ୍ତ୍ର EOW କୋର୍ଟରେ ହାଜର କରାଯିବା ନେଇ ସୂତ୍ରରୁ ଜଣାପଡିଛି।

ଖୋର୍ଦ୍ଧା ଜିଲ୍ଲାର ସୁଶାନ୍ତ କୁମାର ଦାସଙ୍କ ଅଭିଯୋଗ ପରେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଅମିତ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ୨୦୨୨ ରୁ ୨୦୨୪ ମଧ୍ୟରେ ସେୟାର ବଜାର ରେ ୮.୫ ଲକ୍ଷ ଟଙ୍କା ନିବେଶ କରିବାକୁ ପ୍ରବର୍ତ୍ତାଇଥିଲେ ଓ ଏହି ନିବେଶ ଦ୍ଵାରା ସେମାନେ ପ୍ରତି ମାସରେ ୩.୫% ରୁ ୭% ରିଟର୍ଣ୍ଣ ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ମଧ୍ୟ ସେ କହିଥିଲେ।ତେବେ ବିଶ୍ୱାସ ବଢ଼ାଇବା ପାଇଁ ଅମିତ ଏକ ଚୁକ୍ତିନାମା ଏବଂ ପରବର୍ତ୍ତୀ ତାରିଖ ପାଇଁ ଚେକ୍ ମଧ୍ୟ ପ୍ରଦାନ କରିଥିଲେ। ପ୍ରଥମେ ଏକ ଛୋଟ ପେମେଣ୍ଟ କରାଯାଇଥିଲା କିନ୍ତୁ ପରେ ପେମେଣ୍ଟ ଆସିବା ବନ୍ଦ ହୋଇଯାଇଥିଲା। ଏପରିକି ଅମିତ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଥିଲେ। ୨୦୨୩ ରେ ପେମେଣ୍ଟ ବନ୍ଦ ହେବାପରେ ଏହି ସମସ୍ତ ପାଣ୍ଠି ନୂତନ କମ୍ପାନୀରେ ପୁନଃନିବେଶ କରାଯିବ ବୋଲି ସେ ମିଥ୍ୟା ଦାବି କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

ଅମିତ ‘କଳ୍ପନା ଫାଇନାନ୍ସିଆଲ୍ ସର୍ଭିସେସ୍’ ନାମକ ଏକ ନକଲି ସଂସ୍ଥାର ବ୍ୟାନର ତଳେ କାର୍ଯ୍ୟ କରୁଥିଲେ ଏବଂ ପରେ ସେ ଏହାର ନାମ ପରିବର୍ତ୍ତନ କରି କଳ୍ପମିତ କନସଲ୍ଟାନ୍ସି ପ୍ରାଇଭେଟ୍ ଲିମିଟେଡ୍ କରିଦେଇଥିଲେ। ସେ ଏବଂ ତାଙ୍କର ଓଡ଼ିଶା ସ୍ଥିତ ଏଜେଣ୍ଟମାନେ ଜମାକାରୀଙ୍କୁ ଆକର୍ଷିତ କରିବା ପାଇଁ ଅନୁଗୁଳ ଏବଂ ଭୁବନେଶ୍ୱରର ହୋଟେଲରେ ବୈଠକ ଆୟୋଜନ କରିଥିଲେ। ୨୦୨୦ରୁ ୨୦୨୪ ମଧ୍ୟରେ ସେ ଓଡ଼ିଶାର ପ୍ରାୟ ୫୦୦ ଏବଂ ପଶ୍ଚିମବଙ୍ଗର ୧୦୦ ନିବେଶକଙ୍କଠାରୁ ୧୨୦ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରିଥିବା ଅଭିଯୋଗ ହୋଇଛି।ଏହି ସମସ୍ତ ପାଣ୍ଠି ମୁଖ୍ୟତଃ ICICI ଏବଂ HDFC ବ୍ୟାଙ୍କରେ ଅମିତଙ୍କ ବ୍ୟକ୍ତିଗତ ଆକାଉଣ୍ଟ ମାଧ୍ୟମରେ ପଠାଯାଇଥିଲା। ଯେଉଁଥିରେ କେବଳ ଗୋଟିଏ ICICI ଆକାଉଣ୍ଟରେ ପ୍ରାୟ ୧୨୨ କୋଟି ଟଙ୍କା କାରବାର ହୋଇଥିବା ନେଇ ସୂଚନା ମିଳିଛି।

ଏଥିମଧ୍ୟରୁ କିଛି ପରିମାଣ କଳ୍ପମିତ କନସଲ୍ଟାନ୍ସି ଏବଂ ସହଯୋଗୀଙ୍କ ଆକାଉଣ୍ଟ କୁ ପଠାଯାଇଥିଲା। ତେବେ ତାଙ୍କଠାରୁ ଜବତ ହୋଇଥିବା ଏକ ଲାପଟପରେ ନିବେଶକ ଏବଂ କାରବାରର ସମସ୍ତ ସୂଚନା ମିଳିପାରିବ ବୋଲି ପୋଲିସ କହିଛି।

ଆଇପିସି ଧାରା ଅଧୀନରେ ଅପରାଧିକ ବିଶ୍ୱାସ ଭଙ୍ଗ, ଠକେଇ, ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର ପାଇଁ ମାମଲା ରୁଜୁ ସହ ଅଧିକ ତଦନ୍ତ ଜାରି ରହିଥିବା ନେଇ କୁହାଯାଉଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL