ବଲାଙ୍ଗିର : ନଦୀପଠାରେ କଙ୍କାଳ ଠାବ । ଏ ହାଡ଼ ଓ ଖପୁରୀ କାହାର ? ତାକୁ ନେଇ ଚାଲିଛି ଚର୍ଚ୍ଚା । ଇଏ ହତ୍ୟା ନା କାହାର ଅକସ୍ମାତ ମୃତ୍ୟୁ ? ପୋଲିସର ଛାନଭିନ୍ ଜାରି । ନଈ ପଠାରେ ମଣିଷର ପାଦ । ତାକୁ ଖାଉଥିଲା ବୁଲା କୁକୁର । ଲୋକଙ୍କ ନଜରରେ ପଡ଼ିବାରୁ ପୋଲିସକୁ ଦେଇଥିଲେ ସୂଚନା । ଖବର ପାଇ ପୋଲିସ ବି ଘଟଣାସ୍ଥଳରେ ପହଞ୍ଚିଗଲା । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଆରମ୍ଭ କଲା ତଦନ୍ତ । ସେହି ଚିତ୍ର ହିଁ ଥିଲା ଅତି ଭୟଙ୍କର । ଶହ ଶହ ଲୋକ ରୁଣ୍ଡ ହୋଇ କଙ୍କାଳକୁ ଦେଖୁଛନ୍ତି । ସମସ୍ତଙ୍କ ମନରେ ପ୍ରଶ୍ନ ଏ ଖଣ୍ଡ ବିଖଣ୍ଡିତ ମରଶରୀର କାହାର? ତେବେ ସେ ଚିତ୍ର ଆପଣମାନଙ୍କୁ ସିଧାସଳଖ ଦେଖାଇବା ସମ୍ଭବ ନୁହେଁ । … ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା କାଦୋପାଣି ହିର୍ଲି ରାସ୍ତା ସୁକତେଲ ବ୍ରିଜ ନିକଟରୁ ମିଳିଛି । ଖଣ୍ଡବିଖଣ୍ଡିତ ମୃତଦେହ ଓ କଙ୍କାଳ ଠାବ ପରେ ଚର୍ଚ୍ଚା ଜୋର ଧରିଛି । ଘଟଣାସ୍ଥଳରେ ଲରମ୍ଭା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଜୋରଦାର ତଦନ୍ତ ଚଳାଇ ଥିଲା ।
ଗତ ୧୮ ତାରିଖ ସକାଳ ସମୟରେ ବୁଲା କୁକୁରଟିଏ ମଣିଷ ପାଦ ଖାଉଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଏନେଇ ପୋଲିସକୁ ଖବର ଦେଇଥିଲେ ହିର୍ଲି ଗ୍ରାମବାସୀ । ତୁରନ୍ତ ପୋଲିସ ସନ୍ଧାନୀ କୁକୁର ଧରି ଘଟଣା ସ୍ଥଳରେ ପହଞ୍ଚିଥିଲା । କୁକୁରକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଦେଇଥିଲା, କାହିଁକି ନା କୌଣସି ସୁରାକ ଛାଡ଼ିବାକୁ ଚାହୁଁନଥିଲା ପୋଲିସ । ସନ୍ଧାନୀ କୁକୁର ବି ଲାଗିଗଲା କାମରେ । ଏହାରି ଭିତରେ ସାଇଣ୍ଟିଫିକ୍ ଟିମ୍ ପ୍ରତିଟି ଜିନିଷକୁ ତନ୍ନ ତନ୍ନ କରି ଖୋଜୁଥାଏ, କାଳେ କିଛି ବଡ଼ ପ୍ରମାଣ ମିଳିବ ।
କହି ରଖୁଛୁ, ଗତ ଜାନୁଆରୀ ୨ ତାରିଖ ଦିନ ନଦୀକୁ ଶୌଚ ପାଇଁ ଯାଇ ନିଖୋଜ ହୋଇଥିଲେ ନାବାଳକ ଘନଶ୍ୟାମ ବରିହା । ଉଦ୍ଧାର ହୋଇଥିବା ଏହି ଖଣ୍ଡ ବିଖଣ୍ଡିତ ତାଙ୍କର ହୋଇ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଲରମ୍ଭା ପୋଲିସ, ସାଇଣ୍ଟିଫିକ ଟିମ ଓ ଡଗସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଜାଗାରୁ ହାଡ଼ କଙ୍କାଳ, ଖପୁରି ପାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।
ପାଟଣାଗଡ଼ରେ ପୂର୍ବରୁ ଏଭଳି ଘଟଣା ଘଟିଥିବାର ନଜିର ରହିଛି । ତେବେ ବାରମ୍ବାର ଏମିତି ଘଟଣା ଘଟୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି । ଏଭଳି ମୃତ୍ୟୁ ପଛରେ କାହାର ହାତ ରହିଛି ନା ଏସବୁ କେବଳ ଅଘଟଣ ତାକୁ ନେଇ ତନାଘନା କରୁଛି ପୋଲିସ୍ ।








