ପାକିସ୍ତାନ : ପାକିସ୍ତାନର କରାଚୀର ଗୁଲ୍ ପ୍ଲାଜା ମଲ୍ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮୧ ଜଣ ନିଖୋଜ ରହିଛନ୍ତି । ବର୍ତ୍ତମାନ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ଏବେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି ।
ସୂଚନାନୁଯାୟୀ, ଜାନୁଆରୀ ୧୭ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରୁ ୨୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେହି ମୃତକଙ୍କ ମଧ୍ୟରୁ ୬ ଜଣଙ୍କୁ ଚିହ୍ନଟ କରାଯାଇଛି । ବାକି ମୃତଦେହ ଡିଏନ୍ଏ ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯିବ ।
ଅନ୍ୟପଟେ ଅଗ୍ନିକାଣ୍ଡ ପରେ ଡିଏନଏ ନମୁନା ସଂଗ୍ରହ କରାଯାଇଛି । ୧୮ ଜଣ ପୀଡିତଙ୍କ ସମ୍ପର୍କୀୟ କର୍ତ୍ତୃପକ୍ଷଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାହାଯ୍ୟ କରିବା ପାଇଁ ନମୁନା ଦାଖଲ କରିସାରିଛନ୍ତି । ଏହାରି ମଧ୍ୟରେ ଅଧିକାରୀମାନେ କହିଛନ୍ତି ଯେ ଗୁଲ୍ ପ୍ଲାଜା ଏବଂ ନିକଟସ୍ଥ ରାମ୍ପା ପ୍ଲାଜାର ଏବଂ ଏହାର ଆଖପାଖରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ସେଥିପାଇଁ ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍ କରାଯାଇଛି । ନିଖୋଜ ବ୍ୟକ୍ତିଙ୍କ ପରିବାରକୁ ଡିସି କାର୍ଯ୍ୟାଳୟ ହେଲ୍ପଲାଇନ୍ ସହିତ ଯୋଗାଯୋଗରେ ରହିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ।







