ମସ୍କୋ: ଇସ୍ରାଏଲ-ପାଲେଷ୍ଟାଇନ ସମସ୍ୟା ସମେତ ବିଶ୍ୱ ବିବାଦର ସମାଧାନ ପାଇଁ ଏକ ନୂତନ ଅନ୍ତର୍ଜାତୀୟ ସଂସ୍ଥା ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମନ୍ତ୍ରଣର ଜବାବ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ଆମେରିକାରେ ଫ୍ରିଜ୍ ହୋଇଥିବା ରୁଷ ସମ୍ପତ୍ତି ବ୍ୟବହାର କରି ପରିଷଦକୁ ୧ ବିଲିୟନ ଡଲାର ଦେବାକୁ ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଦିନ ରୁଷ ସୁରକ୍ଷା ପରିଷଦକୁ ଏକ ଭାଷଣ ସମୟରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି, ମସ୍କୋ ସର୍ବଦା ଆନ୍ତର୍ଜାତୀୟ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଥିବା ଯେକୌଣସି ପ୍ରୟାସକୁ ସମର୍ଥନ କରିଆସିଛି। ପ୍ରସ୍ତାବିତ ଶାନ୍ତି ବୋର୍ଡ ମଧ୍ୟପ୍ରାଚ୍ୟ ଶାନ୍ତି, ବିଶେଷକରି ଗାଜା ପୁନଃନିର୍ମାଣ ଓ ପାଲେଷ୍ଟାଇନର ମାନବିକ ଆବଶ୍ୟକତା ଉପରେ ଧ୍ୟାନ ଦେବ।।
ଏହି ହାଇ-ପ୍ରୋଫାଇଲ୍ ଅନ୍ତର୍ଜାତୀୟ ପ୍ରୟାସ ମାଧ୍ୟମରେ ୬୦ଟି ଦେଶର ବିଶ୍ୱ ନେତାଙ୍କୁ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଓ ସଂଘର୍ଷ ପରବର୍ତ୍ତୀ ପୁନଃନିର୍ମାଣ, ବିଶେଷକରି ଗାଜା ଷ୍ଟ୍ରିପରେ ତଦାରଖ କରିବା ପାଇଁ ଗଠନ ହୋଇଥିବା ନୂତନ ସଂସ୍ଥାରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ହ୍ୱାଇଟ୍ ହାଉସ୍ ବିବୃତି ଅନୁଯାୟୀ, ପ୍ରସ୍ତାବିତ କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟମାନେ ଗାଜାର ସ୍ଥିରତା ଓ ଦୀର୍ଘକାଳୀନ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର ତଦାରଖ କରିବେ। ଏଥିରେ ଶାସନ କ୍ଷମତା-ନିର୍ମାଣ, ଆଞ୍ଚଳିକ ସମ୍ପର୍କ, ପୁନଃନିର୍ମାଣ, ନିବେଶ ଆକର୍ଷଣ, ବଡ଼ ପରିମାଣର ପାଣ୍ଠି ଓ ପୁଞ୍ଜି ସଂଗ୍ରହ ଅନ୍ତର୍ଭୁକ୍ତ। ଯେଉଁ ଦେଶଗୁଡ଼ିକ ୧ ବିଲିୟନ ଡଲାର ପ୍ରଦାନ କରିବେ ସେମାନେ ବୋର୍ଡରେ ସ୍ଥାୟୀ ଆସନ ସୁରକ୍ଷିତ କରିବେ। ଯେଉଁମାନେ ଦେୟ ଦେବେ ନାହିଁ ସେମାନେ ତିନି ବର୍ଷ ପାଇଁ ଯୋଗଦାନ କରିପାରିବେ।






