ରାଉରକେଲା: ଭାଙ୍ଗୁଛି ମାଓଗଡ଼। ମାଓ ସଂଗଠନକୁ ଆଉ ଏକ ବଡ଼ ଝଟକା। ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ। ଏମାନଙ୍କ ମଧ୍ୟରେ ୧ କୋଟି ପୁରସ୍କାର ଘୋଷଣା ହୋଇଥିବା ଜଣେ କୁଖ୍ୟାତ ମାଓନେତା ଅନଲଦା ବି ନିହତ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ନକ୍ସଲମୁକ୍ତ କରିବାକୁ ଝାଡ଼ଖଣ୍ଡ ଜାଗୁଆର, କୋବ୍ରା ବାହିନୀ ଓ ସିଆରପିଏଫ୍ ପକ୍ଷରୁ ଅପରେସନ୍କୁ ଜୋରଦାର କରାଯାଇଛି।
ଗୁରୁବାର ପଶ୍ଚିମ ସିଂହଭୂମି ଛୋଟାନାଗରାରେ ନକ୍ସଲ ଓ ଯବାନ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଏରିଆ କମାଣ୍ଡର ଅନଲ୍ ଦା’ ଓରଫ ପତିରାମ ମାଝି ସହ ୧୫ ନକ୍ସଲ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ଆଖି ବୁଜିଥିବା ମାଓବାଦୀଙ୍କ ଭିତରୁ ୧୧ ଜଣଙ୍କର ପରିଚୟ ମିଳିଥିବାବେଳେ ଅନ୍ୟ ୪ ଜଣଙ୍କ ପରିଚୟ ମିଳିପାରିନି। ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ବିପୁଳ ପରିମାଣରେ ମାରଣାସ୍ତ୍ର, ମାଓ ପୋଷାକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛନ୍ତି। ୧୫ ମାଓବାଦୀ ନିହତ ହୋଇଥିବା ବେଳେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ମଚ୍ଛୁ ଓ ତା’ର କିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି।







