ଭୁବନେଶ୍ବର: କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନଦୀକୂଳ ନୂଆ ରୂପ ପାଇବ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ସାଂସ୍କୃତିକ ଓ ମନୋରଞ୍ଜନ ସ୍ଥଳରେ ପରିଣତ କରାଯିବ, ଏହା ଦ୍ୱାରା ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ସାମଗ୍ରିକ ସହରୀ ପରିବେଶରେ ଉନ୍ନତି ଆସିବ । ଏହି ପ୍ରକଳ୍ପ କାମକୁ ତ୍ୱରିତ କରିବାକୁ ଆଜି ନେତାଜୀଙ୍କ ଜୟନ୍ତୀରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ପ୍ରାୟ ୨୨୦କୋଟି ଟଙ୍କା ଖର୍ଚ୍ଚ ହେବ, ୪୨୬ ଏକର ପରିମିତ ଅଞ୍ଚଳକୁ ନେଇ ରିଭର ଫ୍ରଣ୍ଟ ପ୍ରକଳ୍ପ ବିକାଶିତ ହେବ । ୩ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରହିଛି । ପ୍ରକଳ୍ପ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ରାଜ୍ୟ ବଜେଟରେ ମଧ୍ୟ ବ୍ୟୟବରାଦ ହୋଇଛି ।
ମାଷ୍ଟରପ୍ଲାନ୍ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ବାଲିଯାତ୍ରା ପଡ଼ିଆରୁ ସାମୁଦ୍ରିକ ସଂଗ୍ରହାଳୟ ଯାଏ ୩.୨ କିମି ଲମ୍ବା ରିଭରଫ୍ରଣ୍ଟ ପ୍ରୋମେନେଡ୍ ବିକାଶ ସହ ବାଲିଯାତ୍ରା ଅଞ୍ଚଳରେ ପାଦଚଲା ରାସ୍ତା, ଅତ୍ୟାବଶ୍ୟକ ଓ ଉପଯୋଗୀ ଭିତ୍ତିଭୂମି କରିବାକୁ ଯୋଜନା ଅଛି । ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ପରିବେଶ ସ୍ଥିରତା ଉପରେ ଗୁରୁତ୍ୱ ଦିଆଯିବ ।







