କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ବଡି ଭୋରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି । ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ । ଶ୍ରଦ୍ଧାଳୁମାନେ ବାଉଁଶ କଣିରେ କୁଡ଼ିଆ ତିଆରି କରି ବିଶ୍ରାମ ନେଇଥିଲେ ।
ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ ଅନୁଯାୟୀ, ମାଘସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୁଏ ଓ ସୁଖ-ଶାନ୍ତି ଲାଭ ହୁଏ । ଏହି ମେଳାରେ ଶହ ଶହ ସାଧୁ ସନ୍ଥଙ୍କର ସମାଗମ ହୋଇଛି । ଏହି ପବିତ୍ର ଅବସରରେ ସାଧୁ–ସନ୍ଥଙ୍କ ଦର୍ଶନ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।
ନିର୍ଦ୍ଧାରିତ ସମୟ ଅନୁଯାୟୀ ଭୋର ୪ଟା ୫୧ ମିନିଟରେ ତିନି ଠାକୁର ତ୍ରିବେଣୀଶ୍ବର, ବାବା ଐଶାନେଶ୍ବର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସ୍ନାନ ସମ୍ପନ୍ନ ହେବା ପରେ ସକାଳ ୫ଟା ୧ ମିନିଟରେ ସର୍ବସାଧାରଣ ବୁଡ଼ ପକାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତୀର୍ଥ ପୁଷ୍କରିଣୀ ପରିସରରେ ଚାଧବଲ୍ଲଭ ମଠର ମାତୃମଣ୍ଡଳୀଙ୍କ ଦ୍ୱାରା ୧୦୮ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।ପରେ ତିନି ଠାକୁରଙ୍କ ସ୍ନାନ ପର୍ବତ୍ର ଜଳ ତୀର୍ଥ ପୁଷ୍କରିଣୀରେ ପକାଯାଇଥିଲା । ଏହା ପରେ ସାଧୁ ସନ୍ଥ ଓ ବୟନଧାରୀ ମାନେ ସ୍ନାନ କରିଥିଲେ, ତା’ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଥିଲା ।
ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।






