ଭୁବନେଶ୍ୱର : ସଂପ୍ରସାରଣ ହେବ ସମ୍ବଲପୁର ଲପଙ୍ଗା ସ୍ଥିତ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟ । ୨୭ହଜାର କୋଟି ଟଙ୍କା ବ୍ୟୟରେ ହେବ ସଂପ୍ରସାରଣ । ଏହା ମାଧ୍ୟମରେ ୫୦୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମ୍ବଲପୁର ଲପଙ୍ଗା ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତ୍ୟାଧୁନିକ ଫ୍ଲାଟ ରୋଲଡ ପ୍ରଡକ୍ଟ ୟୁନିଟର ଲୋକାର୍ପଣ କରିଛନ୍ତି । ଏହା ଭାରତର ପ୍ରଥମ ଫ୍ଲାଟ ରୋଲଡ ପ୍ରଡକ୍ଟ ୟୁନିଟ ।
ଏହାର ଲୋକାର୍ପଣ କରି ଓଡ଼ିଶାର ନୂଆ ଶିଳ୍ପ ବିପ୍ଲବ ସୃଷ୍ଟି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରାୟ ୨୦ଲକ୍ଷ କୋଟି ନୂଆ ପ୍ରକଳ୍ପର ପ୍ରସ୍ତାବ ଆସିଛି । ଏହା କାର୍ଯ୍ୟକ୍ଷମ ହେବା ଦ୍ବାରା ୧୫ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲପଙ୍ଗା ଠାରେ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟର ସଂପ୍ରସାରଣ ଦ୍ବାରା ଏହି ଅଞ୍ଚଳରେ ତୃଣମୂଳସ୍ତରରେ ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସହ ଜୀବନଜୀବିକାରେ ନୂଆ ସୁଯୋଗ ସୃଷ୍ଟି କରିବ ।
ଜଙ୍ଗଲ ଓ ଚାଷଜମିରୁ ବିଶ୍ବସ୍ତରୀୟ ଉତ୍ପାଦନ କ୍ଷେତ୍ରରେ ପରିଣତ କରାଇବାରେ ପଶ୍ଚିମ ଓଡ଼ିଶା ଆଜି ଆସ୍ଥା, ଶୃଙ୍ଖଳା ଓ ମୌଳିକ ପରିବର୍ତ୍ତନର ସଙ୍କେତ ଭାବେ ସୃଷ୍ଟି ହୋଇଥିବା କହିଛନ୍ତି ମୋହନ ମାଝୀ । ଶ୍ରମିକମାନଙ୍କ କର୍ମନିଷ୍ଠା ପାଇଁ ଉତ୍ପାଦନ କେବେ ବି ବ୍ୟାହତ ହୋଇନଥାଏ ଓ ପ୍ରଗତି ଧୀର ହୋଇନଥାଏ ବୋଲି ସେ କହିଛନ୍ତି । ଏହା ସହ ରାଉରକେଲାରେ ସିଆଇଆଇ ଏଣ୍ଟରପ୍ରାଇଜ ଓଡ଼ିଶା ଏକ୍ସିବେସନ ୨୦୨୬ର ୨୫ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।








