ଓଡ଼ିଶା

ପୀତବାସ ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମେତ ୧୫ ଜଣ ଅଭିଯୁକ୍ତ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ବିଜେଡି ନେତା ମଦନ ଦଳାଇ ଅସୁସ୍ଥତା କାରଣରୁ ଆଜି ଅଦାଲତରେ ହାଜର ହୋଇପାରିନଥିଲେ। ସମସ୍ତ ଅଭିଯୁକ୍ତ ଅଦାଲତରେ ହାଜର ହୋଇନଥିବାରୁ ଜିଲା ଜଜ୍ ଆସନ୍ତା ୬ ତାରିଖକୁ ପୁଣି ଥରେ ଦିନ ଧାର୍ଯ୍ୟ କରି ସମସ୍ତ ଅଭିଯୁକ୍ତଙ୍କୁ ହାଜର ପାଇଁ ନିର୍ଦେଶ ଦେଇଛନ୍ତି ବୋଲି ଅଭିଯୁକ୍ତିଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି । ଆଗାମୀ ଦିନରେ ଏହି ମାମଲାର ବିଚାରଣ ଏଡିଜେ-୩ କୋର୍ଟରେ ହେବା ସହ ଚାର୍ଜଫ୍ରେମ ହୋଇ ବିଚାରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ଏହି ମାମଲାର ଅଭିଯୁକ୍ତ ମାନେ ଅଦାଲତରେ ଜାମିନ ଆବେଦନ କରିଥିବାବେଳେ ତାହା ଖାରଜ ହୋଇସାରିଛି।

କିଛି ଦିନ ତଳେ ଏସଡିଜେଏମ ଅଦାଲତରେ ଏହି ମାମଲାର କମିଟମେଣ୍ଟ ହୋଇ ମାମଲାଟି ଜିଲା ଅଦାଲତକୁ ଆସିଥିଲା । ଆଜି ସମସ୍ତ ଅଭିଯୁକ୍ତଙ୍କୁ ଜିଲା ଅଦାଲତରେ ହାଜର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ସେହିକ୍ରମରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ୧୫ ଜଣ ଅଭିଯୁକ୍ତ ଓ ଫୁଲବାଣୀ ମଣ୍ଡଳ କାରାଗାରରେ ରହୁଥିବା ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ଆଣି ଅଦାଲତରେ ହାଜର କରାଯାଇଥିଲା । ଏହି ସମୟରେ ଜିଲା ଅଦାଲତ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଅଦାଲତରେ ହାଜର ହୋଇ ଅଭିଯୁକ୍ତମାନେ ପୁଣି ଥରେ ଜେଲକୁ ଫେରିଥି​‌ଲେ।

ପ୍ରକାଶଥାଉକି, ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡାଙ୍କୁ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ତାଙ୍କ ଘର ଠାରୁ କିଛି ଦୂର ବୈକୁଣ୍ଠନଗର ଛକ ଠାରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ଏ ନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ପୁଲିସ ସାର୍ପସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ସମେତ ପୂର୍ବତନ ବିଧାୟକ, ପୂର୍ବତନ ମେୟର, ବିଜେଡି ନେତା ମଦନ, ବିଜେଡି କର୍ପୋରେଟର ମଳୟ ବିଷୋୟୀ, ଶୂନ୍ୟଚନ୍ଦ୍ର ଦାଶ, ସୁନୀଲ ହୋତା, ଉମା ବିଷୋୟୀ, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, କୁନ୍ଦ କୁମାର, ଶିଶୁପାଳ କୁମାର ପାଶ୍ବାନ, ଯୋଗୀ ରାଉତ, ରାଜେନ୍ଦ୍ର ସାହୁ, କାଳୁଚରଣ ଭୂୟାଁଙ୍କୁ ମିଶାଇ ମୋଟ ୧୬ ଜଣଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL