ରାୟଗଡା : ଆତ୍ମ ସମର୍ପଣ ଲାଗି ରାଜ୍ୟ ସରକାରଙ୍କୁ ଟପ୍ ମାଓନେତାଙ୍କ ଚିଠି । ୪ଟି ସର୍ତ୍ତ ରଖି ଆତ୍ମ ସମର୍ପଣ ପାଇଁ ଗୃହ ବିଭାଗକୁ ଚିଠି ଲେଖିଲେ ଟପ ମାଓ ନେତା ନିଖିଲ ଓ ଇନ୍ଦୁ । ସରକାରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅସ୍ତ୍ରତ୍ୟାଗ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚିଠିରେ ଉଲ୍ଳେଖ କରିଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ଦିନ ହେଲା ଦୁହେଁ ମାଓ ବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି ।
ତେବେ ପ୍ରତିବନ୍ଧକ ନ ଲଗାଇ ଦଳିତ, ପଛୁଆବର୍ଗଙ୍କ ହକ୍ ପାଇଁ ଆମକୁ କାର୍ଯ୍ୟ କରିବାକୁ ସୁଯୋଗ ମିଳୁ, ଆତ୍ମସମର୍ପଣ ପରେ ମାଓ ବିରୋଧୀ ଅଭିଯାନରେ ଆମକୁ ସାମିଲ କରାନ ଯାଉ, ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର ସମସ୍ତ ଆତ୍ମସମର୍ପଣ ନୀତି ଅନୁପାଳନ କରନ୍ତୁ ଓ ଗଣତାନ୍ତ୍ରିକ ଆନ୍ଦୋଳନକୁ ସରକାର କର୍ଣ୍ଣପାତ କରନ୍ତୁ ଆଦି ୪ଟି ସର୍ତ୍ତ ରଖି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ନିଖିଲ ଓ ଇନ୍ଦୁ । ଏହି ୪ଟି ସର୍ତ୍ତ ପୂରଣ ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଲେ ଆମେ ଆତ୍ମ ସମର୍ପଣ କରିବୁ ବୋଲି ଚିଠିରେ ଜଣାଇଛନ୍ତି ।







