ନୂଆଦିଲ୍ଲୀ : ଗତକାଲି ଲଣ୍ଡନରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏୟାର ଇଣ୍ଡିଆର ଜଣେ ପାଇଲଟ୍ ବୋଇଂ ୭୮୭ ଡ୍ରିମଲାଇନର ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ରେ ତ୍ରୁଟି ଥିବା ଅଭିଯୋଗ କରିଥିଲେ । ଯାହା ଫଳରେ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆ ଏହାର ବୋଇଂ ୭୮୭ ଡ୍ରିମଲାଇନର ଫ୍ଲିଟରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି ।
ସୂଚନାନୁଯାୟୀ, ବିମାନରେ ପ୍ରାୟ ୨୦୦ ଯାତ୍ରୀ ଥିଲେ । ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ରନ୍ ପୋଜିସନରେ ନଥିଲା ଏବଂ କଟ୍-ଅଫ୍ ପୋଜିସନକୁ ଚାଲିଯାଇଥିଲା । ତେଣୁ ଇଞ୍ଜିନକୁ ଚାଲୁ ଏବଂ ବନ୍ଦ କରିବା ପାଇଁ ରନ୍ ଏବଂ କଟ୍-ଅଫର ବ୍ୟବହାର କରାଯାଇଥାଏ । ବିମାନର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ତ୍ରୁଟି ଜଣାପଡିନାହିଁ । ତଥାପି ଏୟାର ଇଣ୍ଡିଆର ଅନ୍ୟାନ୍ୟ ବିମାନର ତଦନ୍ତ ଏବେବି ଜାରି ରହିଛି । ଲଣ୍ଡନ-ବାଙ୍ଗାଲୋର ବିମାନରେ ଦେଖାଦେଇଥିବା ତ୍ରୁଟି ପରେ ତଦନ୍ତ ପାଇଁ ବୋଇଂକୁ ପଠାଇଛି ।
ଅନ୍ୟପଟେ ଏୟାର ଇଣ୍ଡିଆ ପାଖରେ ୩୩ଟି ବୋଇଂ 787 ଡ୍ରିମଲାଇନର ବିମାନ ରହିଛି । ଏୟାର ଇଣ୍ଡିଆର ଫ୍ଲାଇଟ୍ ଅପରେସନ୍ସର ବରିଷ୍ଠ ଉପାଧ୍ୟକ୍ଷ ମନୀଷ ଉପ୍ପାଲ ବୋଇଂ 787 ପାଇଲଟମାନଙ୍କୁ କହିଛନ୍ତି ଯେ ଏୟାରଲାଇନ୍ସ ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ଗୁଡ଼ିକର ପୁଣି ତଦନ୍ତ ଆରମ୍ଭ କରିଛି ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । ଏହାରି ମଧ୍ୟରେ ଉପ୍ପାଲ ଏହା ମଧ୍ୟ କହିଛନ୍ତି ଯେ, ଏୟାରଲାଇନ୍ସର ଇଞ୍ଜିନିୟରିଂ ଦଳ ପ୍ରାଥମିକତା ଭିତ୍ତିରେ ତଦନ୍ତ ପାଇଁ ଏହି ମାମଲାକୁ ବୋଇଂକୁ ପଠାଇଛି ।




