ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନିର୍ବାଚନ ଆୟୁକ୍ତଙ୍କୁ ନିଶାଣ କରି ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ପୀଡିତମାନଙ୍କୁ ସୁଯୋଗ ଦେଉନାହାନ୍ତି ସରକାର । ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟଗୁଡ଼ିକରେ SIRର ପଛରେ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା ।
ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ପିଡିତ ମାନଙ୍କ ସହ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ମମତା ବାନାର୍ଜୀ । ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଉପସ୍ଥିତ ଥିବା ସମସ୍ତ ଜନତା SIR ଯୋଗୁଁ କଷ୍ଟ ପାଇଥିବା ଲୋକଙ୍କ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି । ମୁଁ ଏଠାକୁ ଲକ୍ଷ ଲକ୍ଷ ଲୋକଙ୍କୁ ଆଣିପାରିଥାନ୍ତି ବୋଲି କହିଛନ୍ତି ମମତା । କେନ୍ଦ୍ର ସରକାରଙ୍କୁ ଇଙ୍ଗିତ କରି କହିଛନ୍ତି ଯେ, ସେମାନେ SIR ପୀଡିତଙ୍କୁ ନିଜକୁ ରକ୍ଷା କରିବାର ସୁଯୋଗ ଦେଉନାହାଁନ୍ତି । ସେମାନଙ୍କୁ ପୁନଃ ପଞ୍ଜିକରଣ କରିବାର ସୁଯୋଗ ଦିଆଯାଇ ନଥିବା କହିଛନ୍ତି ମମତା । ଏହାସହ SIR ପ୍ରକ୍ରିୟାରେ AIର ଅପବ୍ୟବହାର ଅଭିଯୋଗ ନେଇ କହିଛନ୍ତି ଯେ, ସେମାନେ ବାସ୍ତବତା ଯାଞ୍ଚ ନକରି AIର ଅପବ୍ୟବହାର କରୁଛନ୍ତି । SIRର ସମୟ ଉପରେ ପ୍ରଶ୍ନ ଉଠାଇ ଶ୍ରୀମତୀ ବାନାର୍ଜୀ ମଙ୍ଗଳବାର ପଚାରିଥିଲେ ଯେ ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ଏହି କାର୍ଯ୍ୟ କରାଯାଉଛି ବୋଲି । ସେ ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ କାହିଁକି ଏହି କାର୍ଯ୍ୟ କେବଳ ବିରୋଧୀଙ୍କ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକରେ କରାଯାଉଛି ଏବଂ ବିଜେପି ଶାସିତ ଆସାମରେ ନୁହେଁ । କୌଣସି ଯୋଜନା ବିନା ଏହା ୨-୩ ମାସ ମଧ୍ୟରେ କରିବା ସମ୍ଭବ କି ବୋଲି ପଚାରିଥିଲେ ମମତା ।
ଗତ ଫେବୃଆରୀ ୨ରେ ତୃଣମୂଳ କଂଗ୍ରେସ ମୁଖ୍ୟ ଏବଂ ଅନ୍ୟ ନେତାମାନେ କିଛି ଲୋକଙ୍କୁ SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ସହ ଏକ ବୈଠକ ପାଇଁ ନେଇ ଯାଇଥିଲେ । କିନ୍ତୁ ଶ୍ରୀମତୀ ବାନାର୍ଜୀ ପରେ ଦାବି କରିଥିଲେ ଯେ ସେମାନଙ୍କ ପ୍ରତିନିଧିମଣ୍ଡଳ ଅପମାନିତ ହୋଇଛନ୍ତି । ସେ ନିର୍ବାଚନ ଆୟୁକ୍ତଙ୍କୁ ବିଜେପି ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ମଧ୍ୟ ଅଭିଯୋଗ କରିଥିଲେ । ଏହାସହ ଜ୍ଞାନେଶ କୁମାରଙ୍କୁ ଜଣେ ମିଛୁଆ ଏବଂ ଅହଙ୍କାରୀ କହିଥିଲେ ମମତା ।
ମମତା ବାନାର୍ଜୀ ଏବଂ ଟିଏମସି ଜାତୀୟ ମୁଖପାତ୍ର ଅଭିଷେକ ବାନାର୍ଜୀ ପୂର୍ବରୁ ଚାଣକ୍ୟପୁରୀର ବଙ୍ଗ ଭବନରେ SIR ପୀଡ଼ିତାଙ୍କୁ ଭେଟିଥିଲେ ଏବଂ ଦାବି କରିଥିଲେ ଯେ ସେମାନେ ପ୍ରକୃତ ଭୋଟର ଯାହାଙ୍କ ନାମ ଭୋଟର ତାଲିକାରୁ ଲିଭାଇ ଦିଆଯାଇଛି । ଶ୍ରୀମତୀ ବାନାର୍ଜୀ ସେମାନଙ୍କୁ ସମସ୍ତ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ ଏବଂ କହିଥିଲେ ଯେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କ ଅଧିକାର, ମର୍ଯ୍ୟାଦା ଏବଂ ଗଣତାନ୍ତ୍ରିକ ସ୍ୱର ପାଇଁ ଏହି ଲଢ଼େଇ ବନ୍ଦ ହେବ ନାହିଁ ।




