କୋଲକାତା : ମଙ୍ଗଳବାର ଦିନ ଇଡି ପଶ୍ଚିମବଙ୍ଗର ୧୦ଟି ସ୍ଥାନକୁ ଚଢାଉ କରିଛି । ବେଆଇନ କୋଇଲା ଖଣି ଏବଂ ପରିବହନ ଅଭିଯୋଗରେ ମନି ଲଣ୍ଡରିଂ ତଦନ୍ତ ପାଇଁ ଇଡି ଚଢାଉ କରିଥିବା ଜଣାପଡିଛି । ରାଜ୍ୟ ପୋଲିସ ଅଧିକାରୀ ମନୋରଞ୍ଜନ ମଣ୍ଡଳଙ୍କ ଘର ସମେତ ପ୍ରାୟ ୧୦ ଟି ସ୍ଥାନରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ ଚଢାଉ କରାଯାଉଛି ବୋଲି ଅଧିକାରୀ କହିଛନ୍ତି । ଗତ ମାସରେ ତଦନ୍ତକାରୀ ସଂସ୍ଥା କୋଲକାତାର ରାଜନୈତିକ ପରାମର୍ଶଦାତା ସିଂସ୍ଥା I-PAC ପରିସରରେ ଚଢାଉ କରିଥିଲା ।
ଏହାରି ମଧ୍ୟରେ ଇଡିର ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ସେ ଆଜି ପଶ୍ଚିମବଙ୍ଗ ସରକାରଙ୍କ ଶପଥପତ୍ର ପାଇଛନ୍ତି ଏବଂ ଜବାବ ଦାଖଲ କରିବା ପାଇଁ ସମୟ ମାଗିଛନ୍ତି । ପରବର୍ତ୍ତୀ ସମୟ ପାଇଁ ସୁପ୍ରିମକୋର୍ଟ ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ଜାନୁଆରୀ ୧୫ ତାରିଖରେ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବିପୁଲ ପାଞ୍ଚୋଲିଙ୍କ ଏକ ଖଣ୍ଡପୀଠ ED ର ଆବେଦନ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଶ୍ଚିମବଙ୍ଗ ସରକାର, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ରାଜୀବ କୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନୋଟିସ୍ ଜାରି କରିଥିଲେ ।





