ମଣିପୁର : ପ୍ରାୟ ଏକ ବର୍ଷ ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇଛି । ଏନେଇ ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ଏକ ସରକାରୀ ବିଜ୍ଞପ୍ତି ଜରି କରାଯାଇଛି ।
ଜାରି କରାଯାଇଥିବା ନୋଟିସରେ ଲେଖାଯାଇଛି ଯେ, ” ମୁଁ ଦ୍ରୌପଦୀ ମୁର୍ମୁ, ଭାରତର ରାଷ୍ଟ୍ରପତି, ସମ୍ବିଧାନର ଧାରା ୩୫୬ର ଧାରା (୨) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ଫେବୃଆରୀ ୧୩ ୨୦୨୫ରେ ମୋ ଦ୍ୱାରା ଜାରି କରାଯାଇଥିବା ଘୋଷଣାକୁ ପ୍ରତ୍ୟାହାର କରୁଛି, ଯାହା ୪ ଫେବୃଆରୀ ୨୦୨୬ରୁ ମଣିପୁର ରାଜ୍ୟରେ କାର୍ଯ୍ୟକ୍ଷମ ହେବ । ”
ମଣିପୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହ । ଆଜି ଅପରାହ୍ନରେ ମଣିପୁରରୁ ରାଷ୍ଟ୍ରପତି ଶାସନ ହଟିଥିଲା ।
ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ୟୁମନାମ୍ ଖେମଚାନ୍ଦ ସିଂହ । ମଣିପୁର ଲୋକଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲା ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ବିଜେପି ବିଧାୟକ, ବରିଷ୍ଠ ଦଳୀୟ ପଦାଧିକାରୀ ଏବଂ ରାଜ୍ୟର ଏନଡିଏର ଶୀର୍ଷ ନେତାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ।
ଆଜି ଅପରାହ୍ନରେ ଶ୍ରୀ ସିଂହଙ୍କ ନେତୃତ୍ୱରେ NDA ପ୍ରତିନିଧି ଦଳ ଲୋକଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ବହୁମତ ସହ ସରକାର ଗଠନ ପାଇଁ ଦାବି କରିଥିଲେ ।





