ଭୁବନେଶ୍ୱର: ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯିବ । ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ ।
ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧ ହଜାର ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି । ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହିତ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ ।







