ୱାଶିଂଟନ : ୱାଶିଂଟନରେ ଜୟଶଙ୍କରଙ୍କ ପାୱାର ମିଟିଂ। ୱାଶିଂଟନ ଡିସିରେ ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ଓ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ବଡ଼ ଧରଣର ବାଣିଜ୍ୟିକ ଚୁକ୍ତି ହେବାର ଠିକ୍ ଦିନକ ପରେ ସାକ୍ଷାତକାର ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଅନୁସାରେ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ଟାରିଫକୁ ୨୫% ରୁ ୧୮% କୁ କମାଇଛି। କିପରି ସୂଚାରୁ ରୂପେ କାର୍ଯ୍ୟକାରୀ କରାଯିବ, ସେ ନେଇ ଜୟଶଙ୍କର ଚର୍ଚ୍ଚା କରିଛନ୍ତି ।
ମାର୍କୋ ରୁବିଓଙ୍କ ସହ ଆଲୋଚନା ବେଳେ ପ୍ରତିରକ୍ଷା, ଶକ୍ତି, ଟେକ୍ନୋଲୋଜି ଓ ‘କ୍ୱାଡ୍’ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି । ଜୟଶଙ୍କର ଆମେରିକାରେ ଆୟୋଜିତ ହେବାକୁ ଥିବା ‘କ୍ରିଟିକାଲ୍ ମିନେରାଲ୍ସ’ ମନ୍ତ୍ରୀସ୍ତରୀୟ ବୈଠକରେ ମଧ୍ୟ ଯୋଗ ଦେବେ । ଶକ୍ତି ଓ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ପାଇଁ ଲାଭଦାୟକ ହେବ । ଏହି ଚୁକ୍ତି ଯୋଗୁଁ ଭାରତୀୟ ରପ୍ତାନିକାରୀମାନେ ଉପକୃତ ହେବେ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ବଳ ମିଳିବ । ଦେଶରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଅର୍ଥନୀତି ମଧ୍ୟ ମଜଭୁତ ହେବ ।





