ମେଘାଳୟ : ମେଘାଳୟ ତାଶଖାଇ ଅଞ୍ଚଳ ସ୍ଥିତ ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଅତିକମରେ ୧୦ ଜଣ ଶ୍ରମିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ରେସକ୍ୟୁ ଅପରେସନ ଆରମ୍ଭ କରିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ଖବର ମୁତାବକ, ତାଶଖାଇ କୋଇଲା ଖଣିରେ ହଠାତ୍ ଜୋରଦାର ବିସ୍ଫୋରଣ ହୋଇଥିଲା । ଏହି କାରଣ ଯୋଗୁଁ ଭିତରେ କାମ କରୁଥିବା ଶ୍ରମିକ ଫସିଯାଇଥିଲେ । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ, ଖଣି ଭିତରେ ଥିବା ଶ୍ରମିକଙ୍କୁ ବାହାରକୁ ବାହାରିବା ପାଇଁ ସୁଯୋଗ ମିଳିନଥିଲା । ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ସମସ୍ତେ ଆସାମର ବୋଲି ଅନୁମାନ କରାଯାଉଛି । ପ୍ରଶାସନ ତରଫରୁ ଅଫିସିଆଲ କିଛି ସ୍ପଷ୍ଟ ହୋଇନାହିଁ ।
ଖବର ପାଇଁ ମେଘାଳୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଖଣିରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ବାଧା ନ ଆସିବା ପାଇଁ ପ୍ରଶାସନ ଆଖପାଖ ଅଞ୍ଚଳର ସୁରକ୍ଷା ବଢାଇଛି । ତେବେ ବିସ୍ଫୋରଣ କେମିତି ହେଲା, ତାହାର ଯାଞ୍ଚ ଚାଲିଛି ।





