ନୂଅଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ସଫଦରଜଙ୍ଗ ଫ୍ଲାଏଓଭର ନିକଟରେ NDMC ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ତୀବ୍ରତା ଏତେ ମାତ୍ରାରେ ଥିଲା ଯେ, ୨୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଧିକାରୀ କହିଛନ୍ତି ।
ଦିଲ୍ଲୀ ପୁଲିସ ଘଟଣା ସମ୍ପର୍କରେ କହିଛି ଯେ, ପ୍ରାଚୀନ ଶିବ ମନ୍ଦିର ନିକଟରେ ଥିବା ଗୋଦାମରେ ଅଗ୍ନିକାଣ୍ଡ ସମ୍ପର୍କରେ ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଥିଲେ । ସୂଚନା ପାଇବା ମାତ୍ରେ, ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । NDMC ଗୋଦାମରେ ପ୍ରବଳ ନିଆଁ ଲାଗିଥିବା ଦେଖି ତୁରନ୍ତ ଏବଂ ସୁରକ୍ଷିତ ଭାବରେ ଅଗ୍ନିକାଣ୍ଡ ପ୍ରଭାବିତ ଅଞ୍ଚଳରୁ ସମସ୍ତ ଲୋକଙ୍କୁ ବାହାର କରିଥିଲା । ସମୟୋଚିତ ସୂଚନା ଯୋଗୁଁ କୌଣସି ବଡ଼ ଅଘଟଣକୁ ଏଡାଯାଇ ପାରିଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ କୌଣସି ଜୀବନହାନିର ଏପର୍ଯ୍ୟନ୍ତ ଖବର ନାହିଁ ।
ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି ଯେ ସନ୍ଧ୍ୟା ୬.୦୨ରେ ଘଟଣା ରିପୋର୍ଟ ହେବା ପରେ ୨୦ଟି ଦମକଳ ଗାଡ଼ିକୁ ସେବାରେ ନିୟୋଜିତ କରାଯାଇଛି । ଆମର ଦଳ ଘଟଣାସ୍ଥଳରେ କାମ କରୁଛନ୍ତି । ଆବଶ୍ୟକ ହେଲେ, ଅଧିକ ଦମକଳ ଗାଡ଼ି ପଠାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।




