ଋଷିଆ : ଋଷିଆରେ ଭାରତୀୟ ଛାତ୍ରଙ୍କୁ ମାରାଣାସ୍ତ୍ରରେ ଆକ୍ରମଣ ହୋଇଛି । ମେଡିକାଲ କଲେଜ ହଷ୍ଟେଲରେ ପଶି ଏହି ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୪ଜଣ ଭାରତୀୟ ଛାତ୍ର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ଜଣେ ୧୫ ବର୍ଷୀୟ ଆକ୍ରମଣକାରୀଙ୍କୁ ଗିରଫ କରିଛି ଋଷ ପୋଲିସ ।
ସୂଚନାନୁଯାୟୀ, ଗତକାଲି ଋଷିଆର ଉଫା ସ୍ଥିତ ଷ୍ଟେଟ୍ ମେଡିକାଲ ବିଶ୍ୱବିଦ୍ୟାଳୟର ଏକ ହଷ୍ଟେଲରେ ଏ ଅଭାବନୀୟ ଘଟଣା ଘଟିଛି । ଜଣେ ୧୫ ବର୍ଷର କିଶୋର ହାତରେ ଏକ ମାରାଣାସ୍ତ୍ର ଧରି ବିଦେଶୀ ଛାତ୍ରମାନଙ୍କ ହଷ୍ଟେଲରେ ପଶି ଆକ୍ରମଣ କରିଛି । ହିଂସାକାଣ୍ଡରେ ୪ଜଣ ଭାରତୀୟ ଛାତ୍ର ଆହତ ହୋଇଥିବା ମସ୍କୋରେ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି । ଆକ୍ରମଣକାରୀଙ୍କୁ ଗିରଫ କରିବା ସମୟରେ ୨ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରିଛି । ଭାରତୀୟ ଛାତ୍ର ଏବଂ ପୋଲିସଙ୍କୁ ମିଶାଇ ପ୍ରାୟ ୬ ରୁ ୮ ଜଣ ଆହତ ହୋଇଛନ୍ତି । କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଭାରତୀୟ ଦୂତାବାସ ପକ୍ଷରୁ ରୁଷିଆ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ଅନ୍ୟପଟେ କାଜାନରୁ ଦୂତାବାସର ଅଧିକାରୀମାନେ ଛାତ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ଉଫା ଅଭିମୁଖେ ବାହାରିଛନ୍ତି । ସେପଟେ ରୁଷିଆର ତଦନ୍ତକାରୀ ସଂସ୍ଥା ଏହାର ଯାଞ୍ଚ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ଅନୁସାରେ, ଏହା କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ, ବରଂ ଜଣେ ଯୁବକଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ ବୋଲି ଜଣାପଡ଼ିଛି । ଋଷିଆ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ପାଇଁ ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଏହି ଘଟଣା ସେଠାରେ ରହୁଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ଏବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ଥିତି ଉପରେ ନଜର ରଖିଛି ।






