ହିଞ୍ଜିଳିକାଟୁ: ଚିନ୍ତା ବଢାଇଲାଣି କିଡନୀ ରୋଗ । ଗାଁ କୁ ଗାଁ ବ୍ୟାପୁଛି । ଅକାଳରେ ଚାଲିଯାଉଛି ଲୋକଙ୍କ ଜୀବନ । ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ବାଟ କୁ ଚାହିଁ ବସିଛନ୍ତି । ମହାମାରୀ ରୂପ ନେଇ ବ୍ୟାପିବାକୁ ଲାଗିଛି ଏହି କିଡନୀ ରୋଗ । ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକର ପଥରପୁଞ୍ଜି ଗାଁରେ କିଡନୀ ରୋଗ ବଢିବା ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଆଉ ଗୋଟିଏ ଗାଁରୁ ଆସିଛି ସମାନ ଅଭିଯୋଗ । ଶେରଗଡ ବ୍ଲକ ପଦ୍ମପୁର ଗାଁରେ ମଧ୍ୟ କିଡନୀ ରୋଗ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏଠାରେ ଦୁଇ ତିନି ବର୍ଷ ଭିତରେ ୫୦ରୁ ଅଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ତଥାପି ଏଥିପ୍ରତି ପ୍ରଶାସନର ନଜର ନପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଶେରଗଡ଼ ବ୍ଲକର ପଥରପୁଞ୍ଜି ଗାଁରେ ବ୍ୟାପିଥିଲା କିଡନୀ ରୋଗ । ଯାହାକୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇନଥିବା ବେଳେ ଶେରଗଡ ବ୍ଲକ ପଦ୍ମପୁର ଗାଁରୁ ପୁଣି ସମାନ ଅଭିଯୋଗ ଆସିଛି । ଏଠାରେ ମଧ୍ୟ କିଡନୀ ରୋଗରେ ଅନେକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଏମିତିକି ଅନେକ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । କିନ୍ତୁ କାହିଁକି ଏହି ରୋଗ ବ୍ୟାପୁଛି ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଗାଁର ସମସ୍ତେ ଏବେ ଏକ ପ୍ରକାର ଭୟରେ ଦିନ କାଟୁଛନ୍ତି ।
ଖାଲି ସେତିକି ନୁହଁ । ଏହି ରୋଗ ଏତେ ମାତ୍ରାରେ ଏହି ଗାଁରେ ବୃଦ୍ଧି ପାଇବାରେ ଲାଗିଛି ଯେ, ଗାଁରେ କେବେ ଶ୍ମଶାନ ଖାଲି ରହୁନି । ଘଟଣାକୁ ନେଇ ପ୍ରଶାସନ ପାଖରେ ବହୁବାର ଅଭିଯୋଗ କରାଯାଇଥିଲେ ସୁଧା ଏହାର କୌଣସି ସୁଫଳ ମିଳିନାହିଁ । ଯାହାକୁ ନେଇ ଗ୍ରାମବାସୀମାନେ ମୃତକଙ୍କ ଫଟୋ ଧରି ରାସ୍ତାରୋକ ପାଇଁ ଚେତାବନୀ ଦେଇଛି । ଏପଟେ ଘଟଣାକୁ ଏକ ପ୍ରକାର ସ୍ବୀକାର କରିଛି ସ୍ବାସ୍ଥ୍ୟ ବିଭାଗ । ଏଥିସହ ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛି ବିଭାଗ ।
ଖୁବ ଶୀଘ୍ର ମେଡିକାଲ ଟିମ୍ ପଠା ଯାଇ ଏହି ଗାଁରେ ରୋଗୀ ଚିହ୍ନଟ କରାଯାଇ ଚିକିତ୍ସା ଓ ପିଇବା ପାଣିର ମଧ୍ୟ ପରୀକ୍ଷଣ କରାଯିବାକୁ ବ୍ୟବସ୍ଥା କରାଗଲେ ବହୁତ ଭଲ ହେବ ବୋଲି ଗ୍ରାମବାସୀ କହିଛନ୍ତି । ତେବେ ସେ ଯାହା ବି ହେଉ ନା କାହିଁକି ଏହିଭଳି ସଙ୍ଗୀନ ଅଭିଯୋଗକୁ ପ୍ରଶାସନ ଗୁରୁତ୍ବ ଦେବା ଜରୁରୀ ହୋଇପଡ଼ିଛି ।








