ଓଡ଼ିଶା

୨୦୨୬-୨୭ ପାଇଁ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ

ଭୁବନେଶ୍ୱର : ୨୦୨୬-୨୭ରେ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ ।  ନିଯୁକ୍ତି ଓ ଭିତ୍ତିଭୂମି ଉପରେ ରହିବ ନଜର ।  କାଲି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବ୍ରୁଆରୀ ୨୦ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ସରକାରୀ ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାର ବଜେଟ୍ ଆକାର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ।

ରାଜସ୍ୱ ବୃଦ୍ଧି ଏବଂ ବିକାଶମୂଳକ ଯୋଜନା ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି। ଗତ ୫ ବର୍ଷର ଧାରାକୁ ଦେଖିଲେ ବାର୍ଷିକ ହାରାହାରି ୧୨-୧୫% ବୃଦ୍ଧି ଘଟୁଛି। ତେଣୁ ଏଥର ବଜେଟ୍ ୩.୨୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ନେଇ ଆଶା କରାଯାଉଛି। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟରେ ଏହା ଏକ ବଡ଼ ପଦକ୍ଷେପ ହେବ। କ୍ୟାବିନେଟ୍ ପୂର୍ବରୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ଚିଠା ବଜେଟକୁ ଅନୁମୋଦନ କରିସାରିଛି ।

ଆଗାମୀ ବଜେଟର ଯେଉଁ କ୍ଷେତ୍ରଗୁଡିକ ମୁଖ୍ୟ ଫୋକସ୍ ଏରିଆରେ ରହିବ ସେଥିରେ ରହିଛି କୃଷି ଓ ଜଳସେଚନ। ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ସମୃଦ୍ଧ କୃଷକ ଯୋଜନା ଓ ଜଳସେଚନ ପାଇଁ ପ୍ରାୟ ୪୦,୦୦୦ କୋଟିରୁ ଅଧିକ ବ୍ୟୟବରାଦ ହୋଇପାରେ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅଟଳ ଏକ୍ସପ୍ରେସୱେ, ଭୁବନେଶ୍ୱର ଆଉଟର ରିଙ୍ଗ ରୋଡ୍ ଏବଂ ୭୫,୦୦୦ କିମି ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ପାଇଁ ରେକର୍ଡ ପାଣ୍ଠି ଆବଣ୍ଟନ ହୋଇପାରେ ।  ମହିଳା ଓ ଶିଶୁ କଲ୍ୟାଣ ପାଇଁ ‘ସୁଭଦ୍ରା ଯୋଜନା’ରେ ବଡ଼ ଅନୁଦାନ ସହ ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ଯୋଜନା ଆସିପାରେ ।

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧.୫ ଲକ୍ଷ ସରକାରୀ ପଦବୀ ପୂରଣ, ଆଦର୍ଶ ବିଦ୍ୟାଳୟ ଏବଂ ଯୁବକଙ୍କ ଦକ୍ଷତା ବିକାଶ ଦିଗରେ କିଛି ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।  ସ୍ୱାସ୍ଥ୍ୟ ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ହସ୍ପିଟାଲ୍, କ୍ୟାନ୍ସର ଚିକିତ୍ସା ଏବଂ ଗରିବଙ୍କ ପାଇଁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ବ୍ୟୟ ବରାଦ ହେବ ।  ଶିଳ୍ପ ଓ ନିଯୁକ୍ତି କ୍ଷେତ୍ରରେ ଆଗାମୀ ଦଶନ୍ଧିରେ ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଶିଳ୍ପକୁ ପ୍ରୋତ୍ସାହନ ମିଳିପାରେ ।

ସହରୀ ଓ ଗ୍ରାମୀଣ ବିକାଶ ପାଇଁ ଭୁବନେଶ୍ୱର-କଟକ-ପୁରୀ ମେଟ୍ରୋ ଅଞ୍ଚଳ ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ଅର୍ଥ ବ୍ୟୟ ବରାଦ ବଢିପାରେ ।  ବିପର୍ଯ୍ୟୟ ପରିଚାଳନା ପାଇଁ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ବାର୍ଷିକ ୪,୦୦୦ କୋଟିରୁ ଅଧିକ ବ୍ୟୟ ବରାଦ ହୋପାଇରେ ।  ଏହି ବଜେଟ୍ ଓଡ଼ିଶାକୁ ୨୦୩୬ ସୁଦ୍ଧା ଏକ ବିକଶିତ ରାଜ୍ୟ କରିବା ଦିଗରେ “ଲୋକାଭିମୁଖୀ ଓ ବିକାଶମୂଳକ” ହେବାକୁ ଯାଉଛି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL