ଓଡ଼ିଶା

ଗୃହ ଅଚଳ କରିବ ବିଜେଡି

ଭୁବନେଶ୍ବର: ବିଧାନସଭାକୁ ଅଚଳ କରିଦେବ ବିଜେଡି। ଚାଷୀ ପ୍ରସଙ୍ଗକୁ ଜୋର୍‌ଦାର ଉଠାଇବ। ଗୃହ ମଧ୍ୟ ଭାଗରେ ଦଳର ବିଧାୟକମାନେ ପ୍ରତିବାଦ କରିବେ। ଆଜି ବିଜେଡି ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ଭାବେ ଏହା ବିଧାୟକମାନଙ୍କୁ ଜଣାଇ ଦେଇଛନ୍ତି। ତେଣୁ ବିଧାନସଭା ଅଧିବେଶନରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବା ଏକ ପ୍ରକାର ଥୟ ବୋଲି ବିଧାୟକ ଦଳ ବୈଠକରୁ ସ୍ପଷ୍ଟ ସଂକେତ ମିଳିଛି।
ଶଙ୍ଖ ଭବନରେ ଆୟୋଜିତ ଏହି ବୈଠକରେ ଶ୍ରୀ ପଟ୍ଟନାୟକ କହିଲେ, ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ବିଫଳତା ପ୍ରସଙ୍ଗରେ ଆମେ ବିଧାନସଭାରେ ଉଠାଇବା ସହ ସରକାରଙ୍କୁ ଘେରିବା। ବର୍ତ୍ତମାନର ଡବଲ୍ ଇଞ୍ଜିନ୍‌ ସରକାର କେବଳ ସ୍ଲୋଗାନ୍ ଓ ଫଟୋ ଉଠାରେ ବ୍ୟସ୍ତ ରହୁଛି। ଆମ ଚାଷୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ଜଗି ଖୋଲା ଆକାଶ ତଳେ ମଣ୍ଡିରେ ରାତି କାଟୁଛନ୍ତି। ବିଜେଡି ସବୁବେଳେ ଚାଷୀଙ୍କ ସହ ଠିଆ ହୋଇଛି। ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟ ବିରୋଧରେ ଲଢ଼େଇ ଜାରି ରଖିଛି। ଗତ ମାସଠାରୁ ଆମ ଦଳ ରାସ୍ତାକୁ ଓହ୍ଲାଇଛି। ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ମଣ୍ଡିରେ କଟ୍‌ନିଛଟ୍‌ନିର ପ୍ରତିବାଦ କରିଥିଲି। ଆମେ ବିଧାନସଭାରେ ପ୍ରତିବାଦର ସବୁ ତରିକା ବ୍ୟବହାର କରିବା। ପ୍ରଶ୍ନ ପଚାରିବା, କକ୍ଷତ୍ୟାଗ କରିବା ଓ ଗୃହ ମଧ୍ୟଭାଗରେ ପ୍ରତିବାଦ କରିବା। ସରକାରଙ୍କୁ ତାଙ୍କ ବିଫଳତା ସମ୍ପର୍କରେ ଉତ୍ତର ଦେବାକୁ ବାଧ୍ୟ କରିବା। ଯଦି ଚାଷୀଙ୍କ ସ୍ବର ମଣ୍ଡିରେ ଶୁଣାଯାଉ ନାହିଁ, ତେବେ ବିଧାନସଭାରେ ଏହା ଜୋରଦାର ପ୍ରତିଫଳନ ହେବ।
ବିରୋଧୀ ଦଳ ନେତା ଆହୁରି କହିଲେ, ଡିସେମ୍ବର ପର୍ଯ୍ୟନ୍ତ ବଜେଟ୍ ଖର୍ଚ୍ଚ ମାତ୍ର ୪୭% ରହିଛି। କିଛି ବିଭାଗ ୧୫ ପ୍ରତିଶତରୁ କମ୍ ଖର୍ଚ୍ଚ କରିଛନ୍ତି। କମ୍ ଖର୍ଚ୍ଚ ଦର୍ଶାଉଛି ଯେ ଲୋକମାନେ ସେମାନଙ୍କ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବି ଭୁଶୁଡ଼ି ପଡ଼ିଛି। ମହାନଦୀ ପ୍ରସଙ୍ଗ ବି ସମାଧାନ ହୋଇପାରୁନି। ଛତିଶଗଡ଼ ସରକାରଙ୍କ ହାତରେ ଚାଲିଥିବା ଅଦୃଶ୍ୟ ନାଟକର ନିରବ ଦର୍ଶକ ସାଜିଛନ୍ତି ଓଡ଼ିଶା ସରକାର। ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ବିଧାନସଭାରେ ଚାଷୀ, ମହିଳା, ଛାତ୍ରଛାତ୍ରୀ ଓ ଓଡ଼ିଆ ଅସ୍ମିତାର ସୁରକ୍ଷା କବଚ ହୋଇ ପ୍ରଭାବୀ ଢଙ୍ଗରେ ଲଢ଼େଇ କରିବ। ବୈଠକରେ ବିଜେଡିର କିଛି ବିଧାୟକ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କ ବିଫଳତା ସମ୍ପର୍କରେ କହିଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL